ସିସିଟିଭି ଯୋଗୁ ଅଳ୍ପକେ ବର୍ତ୍ତିଗଲା ରେଳ ଦୁର୍ଘଟଣା

ମୁମ୍ବାଇ: ମୁମ୍ବାଇ-ପୁଣେ ରେଳ ରୁଟ୍‌ରେ ନୂଆ କରି ଲାଗିଥିବା ସିସିଟିଭି ଯୋଗୁ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଘାଟ ସେକସନ୍‌ରେ ସିସିଟିଭିଟି ଲାଗିଥିଲା।  ଏକ ଯାତ୍ରୀବାହୀ ଟ୍ରେନ୍‌ ଆସିବା ପୂର୍ବରୁ  ଏକ ବିରାଟ ପଥର ଖଣ୍ଡ ରେଳ ଧାରଣା ଉପରେ ପଡ଼ିଥିବା ସିସିଟିଭିରୁ ହିଁ ଜଣାପଡ଼ିଥିଲା। ଫଳରେ ଏହାକୁ ତୁରନ୍ତ ସେଠାରୁ ହଟାଯାଇଥିଲା। ଏଥିଯୋଗୁ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଥିଲା।

ଲୋନାଭାଲା ରେଳ ଧାରଣା ଉପରେ ସନ୍ଧ୍ୟା ପ୍ରାୟ ୮.୧୫ରେ ଏକ ବିରାଟ୍‌ ପଥର ପଡ଼ିଥିବା ରେଳ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏହି ସମୟରେ ସେହି ରୁଟ୍‌ ଦେଇ ମୁମ୍ବାଇ-କୁଲାପୁର ଏକ୍ସପ୍ରେସ ଆସୁଥିଲା। କିନ୍ତୁ ପଥର ଖଣ୍ଡଟି ସିସିଟିଭିରେ ଠାବ ହେବାରୁ ଟ୍ରେନ୍‌ଟିକୁ ଅଧା ରାସ୍ତାରେ ହିଁ ଅଟକାଇ ଦିଆଯାଇଥିଲା। ପଥର ଖଣ୍ଡକୁ ରେଳ ଧାରଣରୁ କାଢ଼ିବା ପରେ ପୁଣିଥରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଏହି କାରଣରୁ ଟ୍ରେନ୍‌ଟି ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା। ଟ୍ରେନ୍‌ ଚଳାଚଳ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲେ ହେଁ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଥିଲା। ଟ୍ରେନ୍‌ ବିଳମ୍ବ ହୋଇଥିବାରୁ ଏହା ୧୧ଟା ବେଳେ ଲୋନାଭାଲ ଷ୍ଟେସନରେ ପହଞ୍ଚିଥିଲା। ଏଠାରେ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ପାଣି ଏବଂ ଜଳଖିଆ ବ୍ୟବସ୍ଥା କରାଯାଇଥିଲା।

ରେଳ ଧାରଣାରେ ପଡ଼ିଥିବା ବିଶାଳ ପଥର ଖଣ୍ଡଟିର ଦୈର୍ଘ୍ୟ ୨.୩ ମିଟର ହୋଇଥିବା ବେଳେ ଉଚ୍ଚତା ୨.୨ ମିଟର ଏବଂ ଓସାର ୨.୨ ମିଟର ରହିଥିଲା। ଏହା ଏତେ ବଡ଼ ଥିଲା ଯେ ଯଦି ଟ୍ରେନ୍‌ଟି ଏଥିରେ ମାଡ଼ ହୋଇଥାଆନ୍ତା, ତା’ହେଲେ ବଡ଼ ବିପଦ ଘଟିଥାଆନ୍ତା ବୋଲି କୁହାଯାଉଛି।