ରାମଙ୍କ ଜନ୍ମ ଭଳି ତିନ୍‌ ତଲାକ୍‌ ଏକ ବିଶ୍ୱାସ:କପିଲ୍‌ଙ୍କ ଯୁକ୍ତି, ପରମ୍ପରା ୧୪ଶହ ବର୍ଷ ପୁରୁଣା

ନୂଆଦିଲ୍ଲୀ: ଟ୍ରିପଲ୍ ତଲାକ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମୁ ନାହିଁ।  ଦିନକୁ ଦିନ ଆସୁଛି ନୂଆ ନୂଆ ତଥ୍ୟ।  ଏବେ  ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚରେ ଚାଲୁଥିବା ବେଳେ ମଙ୍ଗଳବାର ସେମିତି କିଛି ତଥ୍ୟ ଆସିଛି। ଏ ସମ୍ପର୍କରେ ଅଲ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ଼ (ଏଆଇଏମପିଏଲବି) ମଙ୍ଗଳବାର ସୁପ୍ରିମକୋର୍ଟରେ ମତ  ରଖିଛି। ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ଼ କହିଛି ଯେ, ଏହା ହେଉଛି ମୁସଲିମ ସମ୍ପ୍ରଦାୟର ଆସ୍ଥା ଏବଂ ବିଶ୍ୱାସର କଥା। ମୁସଲିମ ସମ୍ପ୍ରଦାୟରେ ୧୪୦୦ ବର୍ଷ ଧରି ଟ୍ରିପଲ୍ ତଲାକ୍‌ ପରମ୍ପରା ରହିଛି। ସେହିପରି ଏଆଇଏମପିଏଲବି ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ର ଆଇନ୍‌ ମନ୍ତ୍ରୀ  କପିଲ ଶିବଲ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି।

ତେଣୁ ସାମ୍ବିଧାନିକ ନୈତିକତା ଦୃଷ୍ଟିରୁ ଏହାକୁ ଅସିଦ୍ଧ ବୋଲି ମାନି ନେବା ଇସ୍‌ଲାମ ବିରୋଧୀ  ବୋଲି ସେ କହିଛନ୍ତି।  ଯୁକ୍ତି ଉପସ୍ଥାପନ ବେଳେ ଶିବଲ ହିନ୍ଦୁମାନଙ୍କ ଧର୍ମ ଏବଂ ବିଶ୍ୱାସକୁ ଉଦାହରଣ ଭାବେ ଥୋଇଥିଲେ। କହିଥିଲେ ଯେମିତି ଅଯୋଧ୍ୟାରେ ରାମ ଜନ୍ମ ହେବା କଥା ହିନ୍ଦୁମାନଙ୍କର ଆସ୍ଥା ଏବଂ ବିଶ୍ୱାସ ସହ ଯୋଡ଼ି ହୋଇ ରହିଛି  ଠିକ୍‌ ସେମିତି ଇସ୍‌ଲାମରେ ଟ୍ରିପ୍‌ଲ ତଲାକ୍‌ର ସ୍ଥାନ ଏକାଭଳି। ତେଣୁ ଏହା ଉପରେ ସାମ୍ବିଧାନିକ ନୈତିକତାର ଦ୍ୱାହି ଦେଇ ପ୍ରଶ୍ନ ଉଠିବା କଥା ନୁହେଁ ବୋଲି ଶିବଲ କହିଛନ୍ତି।  ଟ୍ରିପଲ୍ ତଲାକ୍‌  ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ବେଞ୍ଚ ନିକଟରେ ଆଜି ଏଭଳି କିଛି ଯୁକ୍ତି ଉପସ୍ଥାପନା କରିଛନ୍ତି ଶିବଲ। ସୂଚନା ଅନୁଯାୟୀ ଏହି ମାମଲାର ଶୁଣାଣିର ଗତକାଲି ତୃତୀୟ ଦିନ ଥିଲା ବେଳେ କେନ୍ଦ୍ର ସରକାର ମତ ରଖିଥିଲେ।  କହିଥିଲେ ଯଦି ଟ୍ରିପଲ୍ ତଲାକ୍‌ କୋର୍ଟ ଅଫ ଲ’ ରେ ଅସାମ୍ବିଧାନିକ ଘୋଷଣା ହୁଏ, ତେବେ ସରକାର ମୁସଲମାନଙ୍କ ପାଇଁ  ନୂଆ ଆଇନ ଆଣିବେ।