ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପ୍ରସଙ୍ଗ: ଟ୍ରକ୍‌ ମାଲିକ ସପା ନେତାଙ୍କ ଭାଇ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ପ୍ରସଙ୍ଗ ଆଜି ଭିନ୍ନ ମୋଡ଼ ନେଇଛି। ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌କୁ ଧକ୍କା ଦେଇଥିବା ଟ୍ରକ୍‌ ମାଲିକଙ୍କ ସମ୍ପର୍କରେ ପୁଲିସ୍‌ ବିସ୍ତୃତ ତଥ୍ୟ ହାସଲ କରିଛି।

ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କୁ ଏଥିପାଇଁ ଦାୟୀ କରୁଥିଲେ। ହେଲେ ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକଟି ସମାଜବାଦୀ ପାର୍ଟି(ସପା) ନେତା ନନ୍ଦୁ ପଲଙ୍କ ବଡ଼ ଭାଇ ଦେବେନ୍ଦ୍ର ପଲଙ୍କ ନାଁରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଜେଲରେ ବନ୍ଦୀ ଥିବା ବିଧାୟକ କୁଲଦୀପ, ତାଙ୍କ ଭାଇ ଓ ଅନ୍ୟ ୮ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା। ଏହି ଦୁର୍ଘଟଣା ପାଇଁ ବିରୋଧୀ ଦଳଗୁଡ଼ିକ ବିଜେପିକୁ ଦାୟୀ କରି ଉତ୍ତର ପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ହୋହଲ୍ଲା କରିଥିଲେ। ହେଲେ ଏବେ ଟ୍ରକ୍‌ଟି ସମାଜବାଦୀ ପାର୍ଟି ନେତା ନନ୍ଦୁ ପଲଙ୍କ ଭାଇଙ୍କର ହୋଇଥିବାରୁ ପୂରା ଘଟଣାର ମୋଡ଼ ବଦଳି ଯାଇଛି।

ରବିବାର ଦିନ ପୀଡ଼ିତା, ତାଙ୍କର ଦୁଇ ଜଣ ମାଉସୀ ଏବଂ ଓକିଲ କାରରେ ଯାଉଥିଲେ। ରାଏବରେଲୀ ଠାରେ ସେମାନଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କ ମୃତ୍ୟୁ ଘଟିଥିଲା। ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ପୀଡ଼ିତା ଜଣଙ୍କ ବିଜେପି ବିଧାୟକ କୁଲଦୀପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଗତବର୍ଷ ଏପ୍ରିଲରେ ଗିରଫ କରାଯାଇଛି।