୮୬୯ ଦିନରେ ୧୧ ହଜାର ମିଛ କହିଛନ୍ତି ଟ୍ରମ୍ପ

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ବୟାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଠଗଡ଼ାରେ ଛିଡ଼ା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ଗତ ଜୁନ୍‌ ୧୦ ତାରିଖରେ ଆମେରିକାର ପ୍ରମୁଖ ସମ୍ୱାଦପତ୍ର ‘ୱାଶିଂଟନ୍‌ ପୋଷ୍ଟ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ କ୍ଷମତା ଦଖଲ କରିବାର ୮୬୯ ଦିନ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ୧୧ ହଜାର ଥର ମିଛ କହିଛନ୍ତି। ଏହି ମିଛ ବୟାନ ଯୋଗୁ ଅନେକ ସମୟରେ ନାନା ବିବାଦ ମଧ୍ୟ ସୃଷ୍ଟି ହୋଇଛି।

ତଥ୍ୟ ଅନୁଯାୟୀ, ଟ୍ରମ୍ପ ୮୬୯ ଦିନରେ ୧୦,୭୯୬ ଥାର ମିଛ କଥା କହିଛନ୍ତି। ଏପ୍ରିଲ ୨୬ରେ ଟ୍ରମ୍ପଙ୍କ ମିଛ କହିବାର ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିଲା। ଏହାକୁ ବିଚାରକୁ ନେଲେ ଟ୍ରମ୍ପ ପ୍ରତିଦିନ ୧୨ଟି ମିଛ କହୁଛନ୍ତି। ଟ୍ରମ୍ପଙ୍କ ମୋଟ ମିଛ ବୟାନର ଏକ ପଞ୍ଚମାଂଶ କେବଳ ଆମେରିକାକୁ ବେଆଇନ୍‌ ଅନୁପ୍ରବେଶକୁ ନେଇ। ବେଆଇନ୍‌ ଅନୁପ୍ରବେଶକୁ ରୋକିବା ପାଇଁ ମେକ୍ସିକୋ ସୀମାରେ ଟ୍ରମ୍ପ ପାଚେରୀ ନିର୍ମାଣ କରିବେ ବୋଲି ପ୍ରାୟ ୧୭୨ ଥର ପ୍ରତିଶ୍ରୁତି ଦେଇଛନ୍ତି।

ସବୁ ଥର ଏହା ମିଛ ପ୍ରମାଣିତ ହୋଇଛି। ସେହିପରି ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷର ହାତ ଥିବା ଦାବି କରି ଏ ବିଷୟରେ ତଦନ୍ତ ଚାଲିଥିବା କଥା ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ମିଛ ବୟାନ ପାଇଁ ଜର୍ମାନୀ ମଧ୍ୟ ଦିନେ ବଡ଼ ଅଡ଼ୁଆରେ ପଡ଼ିଥିଲା।

ନାଟୋ ପାଇଁ ଜର୍ମାନୀ ତା’ ବଜେଟ୍‌ର ମାତ୍ର ୧% ଅର୍ଥ ଖର୍ଚ୍ଚ କରୁଥିବା ଟ୍ରମ୍ପ କହିଥିଲେ। ଜର୍ମାନୀ ପାଇଁ ଆମେ ଟଙ୍କା ଦେଉଛୁ ବୋଲି ସେ କହିଥିଲେ। ହେଲେ ଏହା ସଂପୂର୍ଣ୍ଣ ମିଛ ଥିଲା। ନାଟୋ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା ରହିଛି। ଗୋଟିଏ ପ୍ରତ୍ୟକ୍ଷ ଅର୍ଥ ଯୋଗାଣ ଓ ଅନ୍ୟଟି ପରୋକ୍ଷ ଅର୍ଥ ଯୋଗାଣ। ଏଥିପାଇଁ ଜର୍ମାନୀ ୧୫% ଅର୍ଥ ବ୍ୟୟବରାଦ କରିଥାଏ। ଆମେରିକା ୨୨% ଅର୍ଥ ଦିଏ। ହେଲେ ଟ୍ରମ୍ପ ଏ ବିଷୟରେ ମିଛ ତଥ୍ୟ ଦେଇଥିଲେ।