ସିରିୟା ଉପରେ  ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ମିଳିତ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ସିରିୟା ଉପରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଙ୍କ ମିଳିତ ଆକ୍ରମଣ ହୋଇଛି। ସାଧାରଣ ଲୋକଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜଧାନୀ ଡାମାସ୍କସ୍ ଓ ଅନ୍ୟ କିଛି ସହରରେ ହୋଇଛି କ୍ଷେପଣାସ୍ତ୍ର ମାଡ଼। ଆକ୍ରମଣରେ ଆମେରିକା ସପକ୍ଷରେ ବ୍ରିଟେନ୍ ଓ ଫ୍ରାନ୍ସ ସାମିଲ ହୋଇଥିବା ବେଳେ ରୁଷ୍ ଚେତାବନୀ ଦେଇଛି ପରିସ୍ଥିତି ଭୟଙ୍କର ହେବ।

କିଛି ଦିନ ତଳେ ସିରିୟାରେ ରାସାୟନିକ ଅସ୍ତ୍ର ପ୍ରୟୋଗ ଯୋଗୁଁ ୭୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ସନ୍ଦେହ କରାଯାଉଛି ସିରିଆ ରାଷ୍ଟ୍ରପତି ବସର୍ ଅଲ୍ ଅସଦ୍‌ଙ୍କ ନିର୍ଦ୍ଦେଶରେ ବିଦ୍ରୋହୀଙ୍କ ଗଡ଼ରେ କ୍ଲୋରିନ ଗ୍ୟାସ ପ୍ରୟୋଗ କରାଯାଇଥିଲା ଏହାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ସିରିୟା ଉପରେ ଆକ୍ରମଣ ବ୍ୟତୀତ ଅନ୍ୟ ବାଟ ନ ଥିବା କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଏପଟେ ସିରିୟା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛି ରୁଷିଆ।  ଏହା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିବା ସହ ଆକ୍ରମଣକାରୀଙ୍କୁ ଏହାର ପରିଣତି ଭୋଗିବାକୁ ପଡ଼ିବ ବୋଲି ଖୋଲା ଚେତାବନୀ ଦେଇଛି । ସେପଟେ ମିଳିତ ଜାତିସଂଘ, ଉତ୍ତେଜନାକୁ ବୃଦ୍ଧି କରା ନ ଯାଉ ବୋଲି ଅପିଲ୍ କରିଛି।