ଅସୁରକ୍ଷିତ ସାମ୍ୱାଦିକ: ଘର ଆଗରେ ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗାଜିଆବାଦରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ସାମ୍ୱାଦିକ ଆହତ ହୋଇଛନ୍ତି। ତାଙ୍କ ନାଁ ଅନୁଜ ଚୌଧୁରୀ। ସେ ଏକ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲରେ କାମ କରନ୍ତି। ଅନୁଜଙ୍କ ବାସଭବନ ଆଗରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅନୁଜ ନିଜ ଘରକୁ ଫେରିବା ପରେ ୨ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପୂର୍ବରୁ ବି ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଜଣେ ସୁରକ୍ଷାକର୍ମୀ ବି ଯୋଗାଇ ଦିଆଯାଇଥିଲା। ଗତକାଲି ରବିବାର ଥିବାରୁ ସେ ସୁରକ୍ଷାକର୍ମୀଙ୍କୁ ଘରକୁ ଫେରିଯିବା ପାଇଁ କହିଥିଲେ।

ଅନ୍ୟପକ୍ଷରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଉଦବେଗ ପ୍ରକାଶ କରିଛି। ଏହାକୁ ଗମ୍ଭୀରତାର ସହ ନେବା ପାଇଁ ରାଜ୍ୟମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏଣିକି ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣର ସମସ୍ତ ତଥ୍ୟକୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋରେ ସାମିଲ୍ କରାଯିବ। ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ଗତବର୍ଷ ଅକ୍ଟୋବର ୨୭ରେ ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନିୟନ୍ତ୍ରଣ କରିବା ସହିତ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଦାବି କରାଯାଇଥିଲା।