ପୁଣି ବିବାଦରେ ଅଭିଜିତ; ତାଙ୍କ ଆକାଉଣ୍ଟ ସସ୍‌ପେଣ୍ଡ୍ କରି ଦେଲା ଟ୍ୱିଟର, କାହିଁକି..? ପଢ଼ନ୍ତୁ

ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରସିଦ୍ଧ ବଲିଉଡ୍ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବେ ପୁଣି ଅଡୁଆରେ ପଡ଼ିଛନ୍ତି। ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ୍ କରି ଦେଇଛି। ସେ କିଛି ଆପତ୍ତିଜନକ କଥା ଟ୍ୱିଟରରେ ଲେଖିବା ପରେ ତାଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନିଆଯାଇଛି।

ଅଭିଜିତ୍‌ ଗତକାଲି ଟ୍ୱିଟରରେ ଜେଏନ୍‌ୟୁ ଛାତ୍ର ସଂସଦ ନେତା ଶେହଲା ରାଶିଦଙ୍କ ବିରୁଦ୍ଧରେ କିଛି ଆପତ୍ତିଜନକ ଟିପ୍ପଣୀ ଲେଖିଥିଲେ। ସେ ତାଙ୍କ ଚରିତ୍ର ଉପରେ କିଛି କଥା ଲେଖିଥିଲେ।  ତା’ସହିତ ପ୍ରସିଦ୍ଧ ଲେଖିକା ଅରୁନ୍ଧତି ରାୟଙ୍କୁ ନେଇ ବି ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଅରୁନ୍ଧତିଙ୍କୁ ସେନା ଜିପ୍‌ରେ ବାନ୍ଧି ବୁଲା ଯିବା ନେଇ ସାଂସଦ ପରେଶ ରାୱଲ ଯେଉଁ ମନ୍ତବ୍ୟ ଦେଇଥିଲେ ଅଭିଜିତ ତାକୁ ସମର୍ଥନ କରିଥିଲେ ଓ ରିଟ୍ୱିଟ୍ କରି ଲେଖିଥିଲେ ଯେ ଅରୁନ୍ଧତିଙ୍କୁ ଗୁଳି ମାରି ଦିଆଯିବା ଉଚିତ।

ଅଭିଜିତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଭିନ୍ନ ବର୍ଗରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅନେକ ଟ୍ୱିଟର ୟୁଜର୍ସ ଅଭିଜିତଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରି ଦେବାକୁ ଦାବି କରିଥିଲେ। ଏହା ପରେ ଅଭିଜିତ ତାଙ୍କ ଟ୍ୱିଟ୍‌ ଡିଲିଟ୍ କରି ଦେଇଥିଲେ। ତେବେ ଅଭିଯୋଗ ପାଇବା ପରେ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ୍ କରି ଦିଆଯାଇଛି।

ସୌଜନ୍ୟ-ଏନ୍‌ଡିଟିଭି