ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ୨ ବିଜେପି ବିଧାୟକଙ୍କ ସମର୍ଥନ, ଦଳ ଛାଡ଼ିବେ

ଭୋପାଲ: କର୍ଣ୍ଣାଟକାରେ ବିଜେପି କ୍ଷମତା ହାସଲ କରିବା ପାଇଁ କଂଗ୍ରେସ ସହ ଲଢ଼େଇ କରୁଛି। ହେଲେ ମଧ୍ୟପ୍ରଦେଶରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବିଜେପିର ଦୁଇ ଜଣ ବିଧାୟକ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଏକ ବିଲ୍‌କୁ ସମର୍ଥନ କରିଛନ୍ତି। ବିଜେପି ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ବେଳେ ୨ ଜଣ ବିଧାୟକଙ୍କ ଏଭଳି ଆଚରଣ ରାଜ୍ୟର ରାଜନୀତିକ ଚିତ୍ରକୁ ବିଗାଡ଼ି ଦେଇଛି।

ମଧ୍ୟପ୍ରଦେଶରେ ଓକିଲମାନେ ଦୀର୍ଘ ଦିନରୁ ଆଡଭୋକେଟ୍‌ ପ୍ରୋଟେକସନ୍‌ ବିଲ୍‌ ପାଇଁ ଦାବି କରି ଆସୁଥିଲେ। ଏହାକୁ କଂଗ୍ରେସ ସରକାର ବିଧାନସଭାରେ ଉପସ୍ଥାପନ କରିଥିଲା। ବିଜେପି ଏହାକୁ ବିରୋଧ କରିଥିଲେ ହେଁ ଦଳର ଦୁଇ ବିଧାୟକ ଶରଦ କୋଲ ଓ ନାରାୟଣ ତ୍ରିପାଠୀ ଏହା ସପକ୍ଷରେ ଭୋଟ ଦେଇଛନ୍ତି। ଏହାପରେ ଏହି ଦୁଇ ବିଧାୟକ କଂଗ୍ରେସରେ ମିଶିବେ। ଏଥିପାଇଁ ସେମାନେ ବରିଷ୍ଠ କଂଗ୍ରେସ ନେତାଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି।

ଏହି ବିଲ୍‌ଟି ୧୫ ବର୍ଷ ତଳେ ଡ୍ରାଫ୍ଟ ହୋଇଥିଲା। କିନ୍ତୁ ବିଜେପି କ୍ଷମତାରେ ଥିବା ଯାଏ, ଏହା କେବେ ହେଲେ ବିଧାନସଭାରେ ଉପସ୍ଥାପିତ ହୋଇପାରି ନଥିଲା। ଡିସେମ୍ବରରେ କ୍ଷମତା ଦଖଲ କରିଥିବା କଂଗ୍ରେସ ନିର୍ବାଚନ ପ୍ରଚାର ବେଳେ ଏହି ବିଲକୁ ପାସ୍‌ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି, “ ଆମ ସରକାର ସଂଖ୍ୟାଲଘୁ ସ୍ଥିତିରେ ନାହିଁ। କଂଗ୍ରେସର ଆଡଭୋକେଟ୍‌ ପ୍ରୋଟେକସନ୍‌ ବିଲକୁ ଆଜି ବିଧାନସଭାରେ ୧୨୨ ବିଧାୟକଙ୍କ ସମର୍ଥନ ମିଳିଛି। ତେଣୁ ଏହା ପାସ୍‌ ହୋଇଛି। ଏପରି ସ୍ଥିତିରେ ଆମ ସରକାରଙ୍କୁ ଭୁଶୁଡ଼ାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଛି।”।