ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ୨ ନାଗରିକ ଆହତ

ଜମ୍ମୁ: ପୁଣି ଅଶାନ୍ତ ହୋଇଛି ଭାରତ-ପାକିସ୍ତାନ ସୀମା। ଜମ୍ମୁକଶ୍ମୀରର ରଜୌରୀ ଜିଲ୍ଲାସ୍ଥିତ ଲାଇନ୍‌ ଅଫ୍‌ କଣ୍ଟ୍ରୋଲରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଦୁଇ ସାଧାରଣ ନାଗରିକ ସଞ୍ଜୀବ କୁମାର ଏବଂ ତାଙ୍କ ପତ୍ନୀ ରୀତା କୁମାରୀ ଆହତ ହୋଇଛନ୍ତି। ସେମାନେ ଘର ଭିତରେ ଥିବା ସମୟରେ ନୌସେରା ସେକ୍ଟର ପଟୁ ପାକିସ୍ତାନ ଗୁଳିବର୍ଷା କରିବାରୁ ସେମାନଙ୍କ ଦେହରେ ବୁଲେଟ୍‌ ବାଜିଥିଲା।

ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ଥିତିରେ ସୁଧାର ଆସିଛି। ପାକିସ୍ତାନ ପଟୁ ପ୍ରଥମେ ଆକ୍ରମଣ ହେବା ପରେ ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ବେଶ୍‌ କିଛି ସମୟ ଯାଏ ଏହି ଗୁଳିବର୍ଷଣ ଚାଲିଥିଲା।

ଆଜି ଦିନ ୨.୨୦ ସମୟରେ ଏହି ଘଟଣା ଘଟିଥିଲା। ଏହାପୂର୍ବରୁ ଏପ୍ରିଲ ୪ ତାରିଖରେ ମଧ୍ୟ ପୁଞ୍ଛ ଅଞ୍ଚଳରେ ଗୁଲପାର ଏବଂ ଦେଗ୍‌ୱାର ସେକ୍ଟରରେ ମଧ୍ୟ ପାକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।