ଜମ୍ମୁ କାଶ୍ମୀର: ସିଆରପିଏଫ୍ ଗାଡ଼ି ଉପରେ ଆତଙ୍କୀ ହମଲା, ୨ ଯବାନ ମୃତ, ୧୦ ଆହତ

ଶ୍ରୀନଗର: ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ପାମପୋର ନିକଟରେ ସିଆରପିଏଫ ଯବାନଙ୍କ ଏକ ଗାଡି ଉପରେ ଶନିବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ରୁ ଅଧିକଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ରହିଛି।

ଆତଙ୍କବାଦୀମାନେ ନିକଟରେ ଥିବା ଏଣ୍ଟରପ୍ରିନ୍ୟୁୟରସିପ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍(ଇଡିଆଇ) ଭିତରକୁ ପଶି କିଛି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ। ଖବର ପାଇ ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ମିଳିତ ଅପରେସନ କରି ଇଡିଆଇରେ ଥିବା ସାଧାରଣ ଲୋକଙ୍କୁ ଉଦ୍ଧାର କରିଥିଲେ।  ୩ ରୁ ୪ ଜଣ ଆତଙ୍କୀ ଏହି ହାମଲା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତି ଆତଙ୍କବାଦୀଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ହସ୍ତହତ ହୋଇପାରି ନାହିଁ।