ଆସୁଛି ଦୁଇ ୱାର୍ଲଡ କ୍ଲାସ୍‌ ଟ୍ରେନ୍‌: ଟ୍ରାକ୍‌ରେ ୧୬୦ କିମି ବେଗରେ ଦଉଡ଼ିବ, ମାନିବନି କଟକଣା  

ନୂଆଦିଲ୍ଲୀ: ଭାରତୀୟ ରେଲେଓ୍ୱ ଇତିହାସଲେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ।  ୨୦୨୦ ସୁଦ୍ଧା ଗଡ଼ିବ ଅତ୍ୟାଧୁନିକ ସୁବିଧା ସହ ଦୁଇଟି ନୂଆ ଟ୍ରେନ୍ । ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗଡ଼ିବ ଏହି ଦୁଇଟି ନୂଆ ଟ୍ରେନ୍।  ଯାହାଫଳରେ ଯାତ୍ରାର ସମୟ ୨୦ ପ୍ରତିଶତ କମିଯିବ।  ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ସ୍ଥାନ ନେବ ଏହି ଦୁଇଟି ନୂଆ  ଟ୍ରେନ।

ଦେଶରେ ଗଡ଼ିବ ଦୁଇଟି ବିଶ୍ୱସ୍ତରୀୟ ଟ୍ରେନ୍।  ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ଯାତ୍ରାର ସମୟ ୨୦ ପ୍ରତିଶତ କମିଯିବ।  ଚେନ୍ନାଇ ସ୍ଥିତ ରେଲେଓ୍ୱର ଇଣ୍ଟିଗ୍ରଲ୍ କୋଚ୍ ଫ୍ୟା୍ରି, ଆଇସିଏଏଫରେ  ଚାଲିଛି ଏହାର ନିର୍ମାଣ କାମ।  ୧୬ଟି ଏସି କୋଚ୍ ବିଶିଷ୍ଟ ପ୍ରଥମ ଟ୍ରେନ୍ ଚଳିତ ବର୍ଷ ଜୁନ୍ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ୧୮ ନାଁରେ ପ୍ରସ୍ତୁତ ହେଉଛି ଏହି ଟ୍ରେନ୍‌।  ଏହା ଶତାବ୍ଦୀ ଏକ୍ସପ୍ରେସ୍‌ର ନାଁ ନେବ। ସେହିପରି ୨୦ ନାଁରେ ନିର୍ମାଣ ହେବାକୁ ଥିବା ଦ୍ୱିତୀୟ ଟ୍ରେନ୍ ୨୦୨୦ ସୁଦ୍ଧା ଟ୍ରାକରେ ଗଡ଼ିବ ବୋଲି ଆଶା କରାଯାଉଛି।  ଏହା ରାଜଧାନୀ ଟ୍ରେନ୍‌ ସ୍ଥାନ ନେବ । ଏହି ଦୁଇ ଟ୍ରେନରେ ଯାତ୍ରୀଙ୍କୁ ମିଳିବ ବିଶ୍ୱସ୍ତରୀୟ ସମସ୍ତ ଅତ୍ୟାଧୁନିକ ସୁବିଧା।  ପ୍ରତ୍ୟେକ ବଗିରେ ରହିବ ଓ୍ୱାଇ ଫାଇ ଓ ଇନଫୋଟେନମେଣ୍ଟ ସହ ଜିପିଏସ ଆଧାରିତ ପ୍ୟାସେଞ୍ଜର ଇନଫର୍ମେଶନ ସିଷ୍ଟମ । ଟ୍ରେନ ଗୁଡ଼ିକୁ ଆଧୁନିକ ରୂପ ବି ଦିଆଯିବ।  ଅଟୋମେଟିକ ଖୋଲା ଓ ବନ୍ଦ ହେଉଥିବା ଝରକା ରହିବ । ଏଥିସହ ଯାତ୍ରୀଙ୍କ ପାଇଁ ରହିବ ବାୟୋ ଟଏଲେଟ ବ୍ୟବସ୍ଥା ।

ଘଣ୍ଟା ପ୍ରତି ଏହି ଦୁଇଟି ଟ୍ରେନର ବେଗ ରହିବ ୧୬୦ କିଲୋମିଟର । ଯାହାଫଳରେ ଦିଲ୍ଲୀରୁ ହାଓ୍ୱଡ଼ା ରୁଟରେ ୧୪୪୦ କିଲୋମିଟର ଦୂରତାକୁ ଅତିକ୍ରମ କରିବା ପାଇଁ ଏହି ଟ୍ରେନଗୁଡ଼ିକୁ ସାଢ଼େ ୩ ଘଣ୍ଟା କମ୍ ସମୟ ଲାଗିବ । ବର୍ତ୍ତମାନ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୫୦ କିଲୋମିଟର ଅଛି । କିନ୍ତୁ ବିଭିନ୍ନ ସମୟରେ କଟକଣା ଯୋଗୁଁ ଏହା ହାରାହାରି ୯୦ କିଲୋମିଟର ବେଗରେ ଗତି କରିଥାଏ । କିନ୍ତୁ ୧୮ ଓ ୨୦ ଟ୍ରେନର ବେଗରେ କୌଣସି କଟକଣା ରହିବନି । ତେଣୁ ଯାତ୍ରୀମାନେ ଅତ୍ୟାଧୁନିକ ସୁବିଧା ସୁଯୋଗର ଲାଭ ସହ କମ୍ ସମୟ ଭିତରେ ନିଜର ଗନ୍ତବ୍ୟ ସ୍ଥାନକୁ ପହଞ୍ଚି ପାରିବେ।  ମେକ୍ ଇନ୍ ଇଣ୍ଡିଆ କର୍ଯ୍ୟକ୍ରମ ଆଧାରରେ ଆଇସିଏଫ୍ ଏହି ଦୁଇଟି ଟ୍ରେନର ନିର୍ମାଣ କାମ କରୁଛି । ଟ୍ରେନ୍ ‘୧୮’ କଳଙ୍କ ବିହୀନ ଷ୍ଟିଲରେ ନିର୍ମାଣ ହେଉଥିବା ବେଳେ ଟ୍ରେନ୍ ୨୦ ଆଲୁମିନିୟମରେ ତିଆରି ହେବ।  ଆଉ ସବୁଠୁ ବଡ଼ କଥା ହେଉଛି, ବିଦେଶରୁ ଅଣା ଯାଉଥିବା ଟ୍ରେନ ଠାରୁ ଏହାର ଖର୍ଚ୍ଚ ୫୦ ପ୍ରତିଶତ କମ୍ ହେବ।