ଏନ୍‌ଡିଏ ସରକାରରୁ ଇସ୍ତଫା ଦେଲେ ଟିଡିପିର ଦୁଇମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାକୁ କେନ୍ଦ୍ର ସରକାର ସଫା ସଫା ମନା କରିବା ପରେ ଟିଡିପିର ଦୁଇ କେନ୍ଦ୍ରମନ୍ତ୍ରୀ ଏନ୍‌ଡିଏ ସରକାରର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ମନ୍ତ୍ରୀ ହେଲେ ଅଶୋକ ଗଜପତି ରାଜୁ ଏବଂ ୱାଇ.ଏସ୍‌ ଚୌଧୁରୀ। ଆଜି ଅପରାହ୍ନରେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରୁ କୌଣସି ସୁଫଳ ବାହାରି ନଥିଲା। ଏହା ପରେ ପରେ ଟିଡିପିର ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହାର କିଛି ସମୟ ପରେ ଉଭୟ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ।

ଇସ୍ତଫା ଦେବା ପରେ ଅଶୋକ ଗଣପତି ରାଜୁ କହିଛନ୍ତି, “ଆମେ ସରକାରରୁ ଇସ୍ତଫା ଦେଇଛୁ। ହେଲେ ଏବେ କି ସରକାରରେ ଅଛୁ। ଏହି ପ୍ରସଙ୍ଗର ସମାଧାନ ପାଇଁ ଚେଷ୍ଟା କରାଯାଉଛି। ପାର୍ଟି ମୁଖିଆଙ୍କ ତରଫରୁ ଆମକୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହାପରେ ଆମେ ଇସ୍ତଫା ଦେଇ ଦେଇଛୁ।”