ଚନ୍ଦ୍ରଯାନ-୨ ଅଭିଯାନ ପଛରେ ୨ ମହିଳା ଓ ୨ ପୁରୁଷ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ-୨ ଲଞ୍ଚ ହେବା କ୍ଷଣି ଭାରତୀୟ ସ୍ପେସ୍ ଅଭିଯାନର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ଆଜି ଲଞ୍ଚ ହୋଇଥିବା ଚନ୍ଦ୍ରଯାନ- ୨ ଉତ୍‌କ୍ଷେପଣ ପାଇଁ ଦେଶର ବୈଜ୍ଞାନିକମାନେ ମାସମାସ ଧରି ଅକ୍ଳାନ୍ତ ପରିଶ୍ରମ କରିଥିଲେ।

୨ ଜଣ ମହିଳା ବୈଜ୍ଞାନିକ ଏହି ପ୍ରକଳ୍ପର ନିର୍ଦ୍ଦେଶକ ଓ ମିଶନ ନିର୍ଦ୍ଦେଶକ ଥିଲେ। ମୁଥାୟା ବନିତା ପ୍ରକଳ୍ପର ନିର୍ଦ୍ଦେଶକ ରହିଥିବା ବେଳେ ରିତୁ କରିଧାଲ ମିଶନର ନିର୍ଦ୍ଦେଶକ ଥିଲେ।

ଶ୍ରୀମତି ବନିତା ଦୀର୍ଘ ୩୨ ବର୍ଷ କାଳ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, “ମୁଁ ଏଠାରେ ସବୁଠାରୁ ଜୁନିୟର ଇଞ୍ଜିନିୟର ଭାବେ ଯୋଗଦେଇଥିଲି। ତେଣୁ ମୁଁ ଲ୍ୟାବରେ କାମ କରୁଥିଲି।

ରିତୁ କରିଧାଲ

ଏହାପରେ ମୁଁ ମ୍ୟାନେଜରିଆଲ ପୋଷ୍ଟରେ ପହଞ୍ଚିଥିଲି। ଏଠାରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ସହ ମିଶି ବର୍ଷବର୍ଷ ଧରି କାମ କରିଛି। ଏଥିସହ କେଉଁ ଲୋକ କ’ଣ କରିବ, ସେକଥାକୁ ବି ଭଲ ଭାବେ ବୁଝିଥିଲି। ସେମାନଙ୍କ ଇନ୍‌ପୁଟକୁ ମଧ୍ୟ ମୁଁ ଭଲଭାବେ ବୁଝିବାକୁ ଚେଷ୍ଟା କରୁଥିଲି।”

ରିତୁ କରିଧାଲ ୨୨ ବର୍ଷ ଧରି ଇସ୍ରୋରେ ଏରୋସ୍ପେସ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିବା ପରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ଅଧ୍ୟୟନ କରିଥିଲେ। ସେ ଏବେ ଚନ୍ଦ୍ରଯାନ-୨ର ମିଶନ ନିର୍ଦ୍ଦେଶକ ରହିଛନ୍ତି।

ଡ. ଏସ୍‌ ସୋମନାଥ

କେବଳ ବନିତା କିମ୍ବା ରିତୁ ନୁହନ୍ତି, ଇସ୍ରୋରେ କାର୍ଯ୍ୟରତ ସମସ୍ତ ମହିଳା ଅଧିକାରୀ ଏହି ମିଶନରେ ସାମିଲ ଥିଲେ। ଇସ୍ରୋରେ ୩୦% ମହିଳା କାର୍ଯ୍ୟ କରୁଛନ୍ତି।

ଏହି ମହିଳାଙ୍କ ବ୍ୟତୀତ ଥିରୁଭନନ୍ତପୁରମଠାରେ ଥିବା ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଡ. ଏସ୍‌ ସୋମନାଥ ଓ ଚନ୍ଦ୍ରଯାନ-୨କୁ ଶେଷ ସ୍ପର୍ଶ ଦେଇଥିବା ପି କୁନ୍ନିକ୍ରିଷ୍ଣନ୍‌ ମଧ୍ୟ ଅନେକ କାମ କରିଛନ୍ତି। ଶ୍ରୀ କୁନ୍ନିକ୍ରିଷ୍ଣନ୍‌ ଏବେ ଇସ୍ରୋର ୟୁଆର ରାଓ ସ୍ୟାଟେଲାଇଟ୍‌ ବିଭାଗର ନିର୍ଦ୍ଦେଶକ ରହିଛନ୍ତି।

ପି କୁନ୍ନିକ୍ରିଷ୍ଣନ୍‌

ଏମାନଙ୍କ ବ୍ୟତୀତ ଅନେକ ଇଞ୍ଜିନିୟର ଓ ଟେକ୍ନିସିଆନ୍‌ ମଧ୍ୟ ଚନ୍ଦ୍ରଯାନ-୨ର ସଫଳତା ପଛରେ କାର୍ଯ୍ୟ କରିଛନ୍ତି।