ଅରୁଣାଚଳ ପ୍ରଦେଶରୁ ରାଷ୍ଟ୍ରପତି ଶାସନ ହଟାଇବାକୁ କେନ୍ଦ୍ର କ୍ୟାବିନେଟ୍‌ର ସୁପାରିଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ରାଷ୍ଟ୍ରପତି ଶାସନ ଉଠାଇ ନେବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି। ଅରୁଣାଚଳ ପ୍ରଦେଶରେ ନୂଆ ସରକାର ଗଠନ ପାଇଁ ଶପଥ ଗ୍ରହଣ ଉତ୍ସବରୁ ବିରତ ରହିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେବା ପରେ କେନ୍ଦ୍ର କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାନୁଆରୀ ୨୬ ତାରିଖରୁ ଅରୁଣାଚଳ ପ୍ରଦେଶ ଉପରେ ଜାରି କରାଯାଇଥିବା ରାଷ୍ଟ୍ରପତି ଶାସନ ହଟାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ସୋମବାର ଅରୁଣାଚଳ ପ୍ରଦେଶ କଂଗ୍ରେସର ବିଦ୍ରୋହୀ ନେତା କାଲିଖୋ ପୁଲଙ୍କ ନେତୃତ୍ୱରେ ୩୧ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ତାଙ୍କ ସହିତ କଂଗ୍ରେସର ଅନ୍ୟ ୧୯ ବିଦ୍ରୋହୀ ନେତାଙ୍କ ସହିତ ବିଜେପିର ୧୧ ଜଣ ବିଧାୟକ ଉପସ୍ଥିତ ଥିଲେ। ଏହା ସହିତ ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ।

ଏହା ପରେ କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ନୂଆ ସରକାର ଗଠନ କରିବାକୁ ଅନୁମତି ନ ଦେବାକୁ ଆବେଦନ କରିଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସର ଆବେଦନକୁ ଅଗ୍ରାହ୍ୟ କରିବା ସହିତ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ନ ଦେବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି କହିଥିଲେ।

କାଲିଖୋ ପୁଲଙ୍କ ନେତୃତ୍ୱରେ କଂଗ୍ରେସ୍ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ଅରୁଣାଚଳ ପ୍ରଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଏଥିପାଇଁ ଜାନୁଆରୀ ୨୬ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା।

୬୦ଟି ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକିଙ୍କ ପାଖରେ ଆଉ ମାତ୍ର ୨୬ ଜଣ ସଦସ୍ୟଙ୍କ ସମର୍ଥନ ରହିଛି।

୨୦୧୪ ନିର୍ବାଚନରେ ୪୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ବିଜେପି ପାଇଥିଲା ୧୧ଟି ଆସନ। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ପ୍ରଦେଶ (ପିପିଏ)କୁ ୫ଟି ଆସନ ମିଳିଥିଲା। ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରେ କଂଗ୍ରେସରେ ମିଶି ବିଲୟ ହୋଇଯାଇଥିଲା ପିପିଏ। ଆଉ କଂଗ୍ରେସର ସଭ୍ୟ ସଂଖ୍ୟା ୪୭ରେ ପହଞ୍ଚିଥିଲା। ତେବେ କଂଗ୍ରେସର ୨୧ ବିଧାୟକ ବିଦ୍ରୋହ ଘୋଷଣା କରି ଦେବାରୁ ସରକାରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।