ରାଜ୍ୟପାଳଙ୍କ ‘ପ୍ରେମ ପତ୍ର’ରେ ଅସନ୍ତୁଷ୍ଟ କୁମାରସ୍ୱାମୀ ସୁପ୍ରିମ୍‌କୋର୍ଟ ଗଲେ

ବେଙ୍ଗାଲୁରୁ: କର୍ଣ୍ଣାଟକା ନାଟକରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗୃହରେ ଆସ୍ଥା ଭୋଟ୍‌କୁ ଦିନ ପରେ ଦିନ ଟାଳିବାରେ ସଫଳ ହୋଇଥିବାବେଳେ ଏଥିରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ। ଆସ୍ଥା ଭୋଟ୍‌ରେ ବିଳମ୍ବ ହେଉଥିବାରୁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଚିଠିରେ ବ୍ୟଥିତ କୁମାରସ୍ୱାମୀ ଏବେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଏହି ଚିଠିକୁ ‘ପ୍ରେମ ପତ୍ର’ ଭାବେ ଅଭିହିତ କରିଥିବା କୁମାରସ୍ୱାମୀ ସୁପ୍ରିମ୍‌କୋର୍ଟଙ୍କ ଜୁଲାଇ ୧୭ ନିର୍ଦ୍ଦେଶ ବାବଦରେ ଆହୁରି ସ୍ପଷ୍ଟ ହେବାକୁ ଚାହିଁଛନ୍ତି।

ସେ କହିଛନ୍ତି, “ଗୃହରେ ବର୍ତ୍ତମାନ ଆସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା କେଉଁଭଳି ହେବ ସେଥିରେ ରାଜ୍ୟପାଳ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ଆସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇସାରିଥିବାରୁ ଟ୍ରଷ୍ଟ ଭୋଟ୍‌ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇପାରିବେ ନାହିଁ।”

ଏହା ପୂର୍ବରୁ ରାଜ୍ୟପାଳ କହିଥିଲେ, କୁମାରସ୍ୱାମୀ ଗୃହରେ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ସେ ନିଶ୍ଚିତ ହୋଇସାରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ଫ୍ଲୋର୍ ଟେଷ୍ଟ ବିଳମ୍ବ କରିବା ପାଇଁ ଏଭଳି ବିସ୍ତୃତ ଆଲୋଚନା କରାଯାଉଛି। ପୂର୍ବରୁ ଥରେ ଅପରାହ୍ନ ୧.୩୦ ଏବଂ ପରେ ସନ୍ଧ୍ୟା ୬ଟା ମଧ୍ୟରେ ଭୋଟିଂ ସାରିବା ପାଇଁ ସେ ମହଲତ ଦେଇଥିଲେ ମଧ୍ୟ ମେଣ୍ଟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଖାତିର କରିନଥିବା ସ୍ପଷ୍ଟ ହୋଇସାରିଛି।

ଏବେ ସୋମବାର ଭୋଟିଂ ପାଇଁ କୁମାରସ୍ୱାମୀ ବାଚସ୍ପତିଙ୍କୁ କହିଛନ୍ତି। ସେ କହିଛନ୍ତି, କିଛି ବିଧାୟକ ଘରକୁ ଯିବାକୁ ଚାହୁଁଛନ୍ତି। ବାଚସ୍ପତି ଏହାପରେ ପଚାରିଥିଲେ, ଆପଣ ନିଶ୍ଚିତ ତ? କିନ୍ତୁ ବିଜେପି ସୋମବାର ପର୍ଯ୍ୟନ୍ତ ଆସ୍ଥା ଭୋଟକୁ ଘୁଞ୍ଚାଇବା ପ୍ରସ୍ତାବର ଦୃଢ଼ ବିରୋଧ କରିଥିଲା।

ଏହା ପୂର୍ବରୁ ଆସ୍ଥା ପ୍ରସ୍ତାବ ବାବଦରେ ଆଲୋଚନା ଆରମ୍ଭ କରି କୁମାରସ୍ୱାମୀ କହିଥିଲେ, ବିଜେପି ତାଙ୍କ ସରକାରକୁ ବାରମ୍ବାର ଭାଙ୍ଗିବାର ପ୍ରୟାସ କରୁଛି। ତେବେ ସରକାର ବଞ୍ଚାଇବାକୁ ତାଙ୍କ ଭାଇ ରବନ୍ନା ମନ୍ଦିର ଯିବା ବାବଦରେ ମଧ୍ୟ ସେ ମତ ରଖିଥିଲେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ସେ ହାତରେ ଲେମ୍ବୁ ଧରି ଖାଲିପାଦରେ ବିଧାନସଭା ଆସିବା ଭଳି ପ୍ରୟାସ କରି ସରକାର ବଞ୍ଚାଇବାକୁ ଚାହୁଁଛନ୍ତି। ତେବେ ଏହି ବିଷୟରେ କୁମାରସ୍ୱାମୀ କହିଛନ୍ତି, “ଏହି କଳାଯାଦୁ ଉପାୟରେ କ’ଣ ସରକାର ବଞ୍ଚାଇହୁଏ? ସେ ମନ୍ଦିର ଯିବା ଅତି ସାଧାରଣ କଥା।”

ନିଜ ସପକ୍ଷରେ ଓକିଲାତି କରି କୁମାରସ୍ୱାମୀ କହିଥିଲେ, “ମୁଁ କ୍ଷମତାଲୋଭୀ ନୁହେଁ। ଏପରି ହୋଇଥିଲେ ଆମ ବିଧାୟକ ଆନନ୍ଦ ସିଂହଙ୍କ ଇସ୍ତଫା ଦିନ ହିଁ ମୁଁ ଆମେରିକାରୁ ଫେରଆସିଥା’ନ୍ତି। ମୁଁ ଅପେକ୍ଷା କଲି ଏବଂ ମୋ କାମ ସାରିବା ପରେ ହିଁ ଆସିଲି।”