ବଜେଟ୍‌ ୨୦୧୮: କାହାର ଲାଭ, କାହାର କ୍ଷତି

ନୂଆଦିଲ୍ଲୀ: ଆଜି ଉପସ୍ଥାପିତ ହୋଇଥିବା ବଜେଟ୍‌ରେ କୃଷକ ଓ କୃଷିକ୍ଷେତ୍ର ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। କୃଷକ, ଗ୍ରାମୀଣ ଲୋକ ଏବଂ କୃଷି କ୍ଷେତ୍ର ଏହି ବେଜଟ୍‌ରେ ଉପକୃତ ହେବାକୁ ଥିବା ବେଳେ ଏଥିରେ ନିବେଶ କରିଥିବା ବ୍ୟକ୍ତିଙ୍କୁ କ୍ଷତି ସହିବାକୁ ପଡ଼ିବ। ଯାହା ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଥିବା ବଜେଟ୍‌କୁ ଦେଖିବା ପରେ ଅନୁମାନ କରାଯାଉଛି। ତା ହେଲେ ଆସନ୍ତୁ ଜାଣିବା କେଉଁକେଉଁ କ୍ଷେତ୍ରରେ ଲାଭ ହେବ ଓ କେଉଁ କ୍ଷେତ୍ରରେ ସହିବାକୁ ପଡିବ କ୍ଷତି।

କିଏ ହେବେ ଲାଭବାନ୍‌

କୃଷକ: ସାରା ଦେଶରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବଜେଟ୍‌ରେ ଜେଟଲୀ ବିଶେଷ ସୁବିଧା ଦେଇଛନ୍ତି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ଏହାସହ ଗ୍ରାମୀଣ ଅଞ୍ଚଳ ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି। ସବୁ କୃଷିକ୍ଷେତ୍ର ଲାଗି ଜଳସେଚନ ବ୍ୟବସ୍ଥା ସୁଦୃଢ କରିବାକୁ  ଦୃଷ୍ଟିରେ ରଖି କୃଷି ସିଞ୍ଚାଇ ଯୋଜନା ପାଇଁ ୨୬୦୦ କୋଟି ଟଙ୍କା ଅର୍ଥବରାଦ କରାଯାଇଛି। ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ୧୨୯୦ କୋଟି ଟଙ୍କା, ମତ୍ସ୍ୟ ଓ ଆକ୍ୱାକଲଚର ପାଇଁ ୧୦,୦୦୦ କୋଟିର କର୍ପସ ପାଣ୍ଠି ରଖାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବ୍ୟବସ୍ଥାରେ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ବ୍ୟବସ୍ଥା କରାଯାଇଛି। ସ୍କୁଲ, ହସ୍ପିଟାଲ, ଗାଁ ହାଟକୁ ରାସ୍ତା ନିର୍ମାଣ କରାଯିବା ସୁନିଶ୍ଚିତ ହେବ ବୋଲି ଜେଟଲୀ କହିଛନ୍ତି। ଏହାସହ କୃଷକ ବଜାର ଗାଁ ହାଟ ଉନ୍ନତି ପାଇଁ ୨୦୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ୪୨ଟି ମେଗା ଫୁଡ ପାର୍କ ପ୍ରତିଷ୍ଠା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।

ସ୍ୱାସ୍ଥ୍ୟକର୍ମୀ: National Health Protection Scheme ପ୍ରଚଳନ କରାଯିବା ନେଇ ଜେଟଲୀ ଘୋଷଣା କରିଛନ୍ତି। ଏହି ସ୍କିମରେ ୧୦ କୋଟି ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ। ୧୦ କୋଟି ପରିବାରର ୫୦ ଲକ୍ଷ ଲୋକ ସ୍କିମ୍‌ରେ ଅନ୍ତର୍ଭୁକ୍ତ ହେବେ। ସ୍କିମ ଜରିଆରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ମିଳିବ। ସେହିପରି ରୋଗୀଙ୍କୁ ମାଗଣା ଔଷଧ, ନିଦାନ ପାଇଁ ୧୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ପରିବହନ କମ୍ପାନୀ: ରାସ୍ତା ଓ ରେଲୱେ ନିର୍ମାଣ ଏବଂ ଇଂଜିନିୟରିଂ ଫାର୍ମ ଓ ରେଳ ୱାଗନ ଉତ୍ପାଦରେ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜେଟଲୀ। ଏହାଦ୍ୱାରା ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡ, ହିନ୍ଦୁସ୍ତାନ କନଷ୍ଟ୍ରକସନ୍‌ କୋ ଲିମିଟେଡ, ଏନ୍‌ସିସି ଲିମିଟେଡ, ଆଇଆରବି ଇମ୍ଫାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡ, ଦିଲୀପ ବିୟୁଡକୋନ ଲିମିଟେଡ, ଟିଟାଗଡ ୱାଗନ ଲିମିଟେଡ ଓ ସିମ୍‌କୋ ଲିମିଟେଡ ଲାଭବାନ ହେବେ।

କଞ୍ଜ୍ୟୁମର କମ୍ପାନୀ: ହିନ୍ଦୁସ୍ତାନ ୟୁନିଲେଭର ଲିମିଟେଡ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ମାର୍କୋ ଲିମିଟେଡ ଭଳି ସଂସ୍ଥା ଲାଭବାନ ହେବେ। ଏହାଦ୍ୱାରା ଶ୍ରମିକ କର୍ମନିଯୁକ୍ତି ପାଇବେ। ନିଯୁକ୍ତି ବୃଦ୍ଧି ପାଇବ ଓ ଲୋକଙ୍କ ଆୟ ବଢ଼ିବ। ସେହିପରି ଗ୍ରାମୀଣ ଏକ୍ସପୋଜର ଭଳି କମ୍ପାନୀ ହିରୋ ମୋଟୋକାର୍ପ ଲିମିଟେଡ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ଏବଂ ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡ ଲାଭବାନ ହେବ।

ଜ୍ୱେଲର୍ସ: ଗ୍ରାମୀଣ ଭାରତରେ ୬୦ ପ୍ରତିଶତ ସୁନାର ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଟାଇଟନ୍‌ କୋ ଲିମିଟେଡ୍‌, ତ୍ରିଭୋବନ୍ଦସ ଭିମ୍‌ଜି ଜାଭେରୀ ଲିମିଟେଡ୍‌, ପିସି ଜ୍ୱେଲର୍ସ ପରି କମ୍ପାନୀ ଲାଭବାନ ହେବ।

ଏୟାରପୋର୍ଟ: ଦେଶରେ ବିମାନ ଚଳାଚଳ ବ୍ୟବସ୍ଥା କ୍ଷେତ୍ରରେ ବିସ୍ତାର କରିବାକୁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଉଡାନ୍‌ ଯୋଜନାରେ ୫୬ଟି ସହରକୁ ବିମାନ ଚଳାଚଳର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଜିଏମ୍‌ଆର ଇନ୍‌ଫ୍ରାଷ୍ଟକଚର ଲିମିଟେଡ ଓ ଜିଭିକେ ପାୱର ଆଣ୍ଡ ଇନଫ୍ରାଷ୍ଟକଚର ଏଲଟିଡି ଲାଭବାନ ହେବେ।

ଏହି କ୍ଷେତ୍ର କ୍ଷତିଗ୍ରସ୍ତ ହେବ

ଆପଲ ଓ ସାମସଙ୍ଗ: ଘରୋଇ ଉତ୍ପାଦକୁ ପ୍ରୋତ୍ସାହନ ଦେବାକୁ ଜେଟଲୀ ମୋବାଇଲ ଫୋନ୍‌ରେ ଟିକସ୍‌ ୧୫ରୁ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା Apple Inc. ଓ Samsung Electronicsର ରିଟର୍ଣ୍ଣ କମି ପାରେ।

ବଣ୍ଡ ଇନ୍‌ଭେଷ୍ଟର୍ସ: ବଜେଟ୍‌ ଯୋଗୁଁ ବଣ୍ଡ ଇନଭେଷ୍ଟର୍ସ କ୍ଷତିରେ ପଡିପାରନ୍ତି। ଏଚ୍‌ଡିଏଫ୍‌ସି, ଆସିଆସିଆଇ, ଏକ୍ସିସ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କ୍ଷତିଗ୍ରସ୍ତ ହେବେ।

ଫାଇନାନସିଆଲ ସେକ୍ଟର: ବଜେଟ୍‌ରେ ଫାଇନାନ୍ସିଆଲ ସେକ୍ଟରକୁ କିଛି ଲାଭ ହେଲା ପରି ଲାଗୁନାହିଁ। ଜୀବନ ବୀମା କମ୍ପାନୀ ଓ ଆଇଡିଏଫ୍‌ସି ଲିମିଟେଡ, ରିଲାୟନ୍ସ କ୍ୟାପିଟାଲ ଏଲଟିଡି, ଆଦିତ୍ୟ ବିର୍ଲା କ୍ୟାପିଟାଲ ଲି, ଆଇସିଆଇସିଆଇ ପ୍ରୋଡେନସିଆଲ ଲାଇଫ ଇନ୍‌ସ୍ୟୁରାନ୍‌ କୋ ଏଲଟିଡି, ଏଚ୍‌ଡିଏଫ୍‌ସି ଷ୍ଟାର୍ଡାର ଲାଇଫ୍‌ ଇନ୍‌ସ୍ୟୁରାନ୍ସ କୋ ଏଲ୍‌ଟିଡିର କ୍ଷତି ହେଇପାରେ।