ଜାତୀୟ ବଜେଟ୍‌ ୨୦୧୯: ସ୍ୱାସ୍ଥ୍ୟସେବାକୁ ମିଳିବ ଗୁରୁତ୍ୱ!

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି। ହସ୍ପିଟାଲ, ଭିତ୍ତିଭୂମି ଏବଂ ଡାକ୍ତରମାନଙ୍କର ଘୋର ଅଭାବ ରହିଛି।

ସଦ୍ୟ ବିହାରରେ ୧୦୦ରୁ ଅଧିକ ଶିଶୁଙ୍କ ଏଇଏସ ରୋଗରେ ମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ। ଯଦିଓ ଅନ୍ତରୀଣ ଜାତୀୟ ବଜେଟ୍‌ରେ ସ୍ୱାସ୍ଥ୍ୟ ପାଇଁ ୬୩,୨୯୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଏହା ସମସ୍ତ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ ବୋଲି କୁହାଯାଉଛି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଲକ୍ଷ୍ୟ ମୋଦି ସରକାର ୨.୦ର ପ୍ରଥମ ବଜେଟ୍‌ ଉପରେ। ନିର୍ବାଚନ ପୂର୍ବରୁ ଫେବୃଆରୀ ମାସରେ ଅନ୍ତରୀଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସ୍ୱାସ୍ଥ୍ୟ ବାବଦରେ କିଛି ଖାସ୍‌ ଆଲୋଚନା କରିନଥିଲେ। କେବଳ ଆୟୁଷ୍ମାନ ଭାରତରେ ଲାଭାନ୍ୱିତ ହେବାକୁ ଥିବା ହିତାଧିକାରୀ ଏବଂ ହରିଆଣାରେ ସ୍ଥାପିତ ହେବାକୁ ଥିବା ନୂଆ ଏମ୍ସ ବାବଦରେ କହିଥିଲେ।

ପରିସଂଖ୍ୟାନ ଅନୁଯାୟୀ, ଭାରତ ତା’ର ଜିଡିପିର ମାତ୍ର ୧.୦୨% ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରିଥାଏ। କିନ୍ତୁ ଭୁଟାନ ଏବଂ ଶ୍ରୀଲଙ୍କାରେ ଏହା ଯଥାକ୍ରମେ ୨.୫% ଏବଂ ୧.୬%। ୨୦୧୭ ମସିହା ସୁଦ୍ଧା ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ହିସାବ ଅନୁଯାୟୀ ଦେଶରେ ମୋଟ ୧୦.୪୧ ଲକ୍ଷ ଡାକ୍ତର ଥିଲେ। ଏଥିମଧ୍ୟରୁ ସରକାରୀ ହସ୍ପିଟାଲରେ ୧.୨ ଲକ୍ଷ ଡାକ୍ତର ନିୟୋଜିତ ଥିଲେ। ବାକି ସମସ୍ତେ ଘରୋଇ ହସ୍ପିଟାଲରେ ଅଥବା ନିଜେ କ୍ଲିନିକ୍‌ କରି ଡାକ୍ତରୀ ବୃତ୍ତି ଚାଲୁ ରଖିଥିଲେ।

ଦେଶରେ ଏବେ ୪୭୦ଟି ମେଡିକାଲ କଲେଜ୍ ଅଛି। ଏଥିରୁ ୨୩୦ଟି ସରକାରୀ ହୋଇଥିବା ବେଳେ ୨୪୦ଟି ବେସରକାରୀ କଲେଜ। ଏଥିରୁ ଦୁଇ ତୃତୀୟାଂଶ ଦକ୍ଷିଣ ଭାରତରେ ଅଛି। ପୂର୍ବର ମୋଦି ସରକାରରେ ୨୪ଟି ନୂଆ ମେଡିକାଲ କଲେଜ୍‌ ହେବ ବୋଲି ଘୋଷଣା କରାଯାଇଥିଲା। ୨୦୨୦-୨୧ ବେଳକୁ ସ୍ନାତକ ଏବଂ ସ୍ନାତକୋତ୍ତରରେ ୧୮୦୫୮ ସିଟ୍‌ ବୃଦ୍ଧି ହେବ। ବର୍ତ୍ତମାନ ଗୋଟିଏ ବର୍ଷରେ ୫୫ ହଜାର ଏମ୍‌ବିବିଏସ୍‌ ଉତ୍ତୀର୍ଣ୍ଣ ହେଉଛନ୍ତି। ଆଗରୁ ସେମାନେ ପାସ କରିବା ପରେ ସିଧା ସଳଖ ଚିକିତ୍ସା ସେବାରେ ଯୋଗ ଦେଇପାରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ପୋଷ୍ଟ ଗ୍ରାଜୁଏସନ୍‌ କରିବାକୁ ପଡ଼ୁଛି। ଏଥିପାଇଁ ୩୦ ହଜାର ସିଟ୍‌ ଅଛି। ଅର୍ଥାତ ବଳକା ୨୫ ହଜାରଙ୍କ ପାଖରେ ବିଶେଷଜ୍ଞ ହେବାର ତାଲିମ ସୁଯୋଗ ନଥିବାରୁ ସେମାନେ କେବଳ ଜୁନିଅର ରେସିଡେଣ୍ଟ ଡକ୍ଟର ହୋଇ ରହିଯା’ନ୍ତି। ଏସବୁ ଅଭାବ ପୂରଣ ଓ ସମସ୍ୟାର ସମାଧାନ ପାଇଁ ବଜେଟରେ ଅଧିକ ବ୍ୟୟ ବରାଦ କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।