ଚିନି କଳରୁ ଚାରି ମାସରେ ଥରେ ଅର୍ଥ ଆଦାୟ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଏକ ବର୍ଷ ପାଇଁ ୪୦ ଲକ୍ଷ ମେଟ୍ରିକ ଟନ ଚିନିର ସଂଗ୍ରହ ପାଇଁ ଭଣ୍ଡାର ସୃଷ୍ଟି କରାଯିବ। ଏଥିପାଇଁ ସର୍ବାଧିକ ୧୬୭୪ କୋଟି ଟଙ୍କାର ବ୍ୟୟ ବରାଦ ହେବ।

ତେବେ ବଜାର ଦର ଆଧାରରେ ଓ ଚିନିର ଉପଲବ୍ଧତା ଅନୁଯାୟୀ ଏଥିରେ ପରିବର୍ତ୍ତନ ଆଣିବା ତଥା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ନେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସମୀକ୍ଷା କରିପାରିବେ।

ଏହି ଯୋଜନା ଅନୁଯାୟୀ ଚିନି କଳ ମାନଙ୍କଠାରୁ ଚାରି ମାସରେ ଥରେ ଅର୍ଥ ଆଦାୟ କରାଯିବ ଏବଂ ଆଖୁ ମୂଲ୍ୟ ଓ ଯଦି କିଛି ବକେୟା ରାଶି ଥାଏ ତେବେ ସେ ବାବଦ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରାଯିବ ।

ଏହାଦ୍ୱାରା ଘରୋଇ ଚିନି ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ଚିନି ଦରରେ ସ୍ଥିରତା ରକ୍ଷା କରାଯାଇ ପାରିବ। ଏଥିସହ ଠିକ ସମୟରେ ଆଖୁ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। ଚିନିକଳଗୁଡ଼ିକର ବକେୟା ଦର ପ୍ରଦାନ କରାଯିବା ଦ୍ୱାରା ଆଖୁ ଉତ୍ପାଦନ କରୁଥିବା ସମସ୍ତ ରାଜ୍ୟମାନଙ୍କୁ ଲାଭ ମିଳିବ।