ଜାଭଡେକରଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଶିବସେନା ସାଂସଦ ଅରବିନ୍ଦ ସାଓ୍ୱନ୍ତଙ୍କ ଇସ୍ତଫା ପତ୍ର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଇସ୍ତଫା ପତ୍ର ଗ୍ରହଣ କରିଥିବା ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହା କହିଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଚାଲିଛି। ଏହାପରେ ଗତକାଲି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ଥିବା ଶିବସେନାର ଏକମାତ୍ର ସାଂସଦ ଅରବିନ୍ଦ ସାଓ୍ୱନ୍ତ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ବିଭାଗରୁ ଗତକାଲି ଇସ୍ତଫା ଦେଇଥିଲେ।