ମୋଦିଙ୍କ ଜୀବନ ପ୍ରତି ବିପଦ: ରୋଡ ଶୋ’ କମାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କ ପ୍ରତି ଅଜ୍ଞାତ ବିପଦ ଥିବା ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ସବୁ ରାଜ୍ୟକୁ ଏନେଇ ଆଲର୍ଟ କରାଯାଇଛି। ମନ୍ତ୍ରୀ ହୁଅନ୍ତୁ ଅବା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏଜେନ୍ସିର ବିନା ଅନୁମତିରେ ପାଖକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହ ସୁରକ୍ଷା ଏଜେନ୍ସି ପକ୍ଷରୁ ମୋଦିଙ୍କୁ ରୋଡ ଶୋ’ କମ କରିବାକୁ ପରାମର୍ଶ ଦିଆଯାଇଛି।

୨୦୧୯ ସାଧାରଣ ନିର୍ବାଚନ ବେଳେ ମୋଦି ବିଜେପିର ଷ୍ଟାର ପ୍ରଚାରକ ରହିବେ। ଏହି କାରଣରୁ ସେ ଏକାଧିକ ଜନସଭାକୁ ସମ୍ବୋଧିତ କରିବା ସହ ରୋଡ଼ ଶୋ’ ବି କରିବେ। ଏପରି ସ୍ଥିତିରେ ତାଙ୍କ ସୁରକ୍ଷାକୁ ନେଇ ଏଜେନ୍ସି ଗୁଡିକ ଆହୁରି ଚିନ୍ତିତ ହୋଇପଡ଼ିଛନ୍ତି।

ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ଡିଜିପିମାନଙ୍କୁ ଲେଖା ଯାଇଥିବା ଚିଠିରେ ‘ଅଜ୍ଞାତ ବିପଦ’ କଥା କୁହାଯାଇଛି। କାହାକୁ ବି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବା ନଦେବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏସ୍‌ପିଜି ମନ୍ତ୍ରୀଙ୍କର ମଧ୍ୟ ଯାଞ୍ଚ କରିପାରିବେ।

ସୂଚନାଯୋଗ୍ୟ, ମୋଦି ସାଧାରଣ ଲୋକଙ୍କୁ ଭେଟିବାକୁ ସେମାନଙ୍କ ନିକଟକୁ ଚାଲି ଯାଇଥାନ୍ତି। ଏହାର ବହୁ ନଜିର ରହିଛି। ଏହାକୁ ନେଇ ସୁରକ୍ଷା ଏଜେନ୍ସି ଆଶଙ୍କା ପ୍ରକାଶ କରିଛି। ବିଶେଷ କରି ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବାରୁ ଏସବୁ ରାଜ୍ୟରେ ମୋଦିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More