ଉନ୍ନାଓ ଗଣଦୁଷ୍କର୍ମ:  ତେଜୁଛି ରାଜନୀତି, ୟୁପି ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଜବାବ ତଲବ

ଲକ୍ଷ୍ମୌ(ଓଡିଶା ରିପୋର୍ଟର): ଉତ୍ତରପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସରଗରମ ହେଉଛି ସ୍ଥିତି । ରାଜ୍ୟ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବିଜେପି ବିଧାୟକ  କୁଲଦୀପ ସେଙ୍ଗରଙ୍କ ନାଁରେ ମାମଲା ରୁଜୁ ହୋଇଛି। ତେବେ ବିଧାୟକ କୁଲଦୀପଙ୍କୁ ଗିରଫ  କରିନାହିଁ ୟୁପି ପୋଲିସ । ଗିରଫ କରିବାକୁ ଚାହିଲେ ସିବିଆଇ ଗିରଫ କରିପାରିବ ବୋଲି କହିଛି ଉତ୍ତରପ୍ରଦେଶ ପୋଲିସ । ଅନ୍ୟପଟେ ପ୍ରସଙ୍ଗକୁ ଗୁରୁତର ଭାବେ ନେବାସହ ୟୁପି ସରକାରଙ୍କୁ ଜବାବ ତଲବ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ବିଜେପି ବିଧାୟକ  କୁଲଦୀପ ସେଙ୍ଗରଙ୍କୁ ଗିରଫ କରିବ କି ନାହିଁ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି ଏସ୍ଆଇଟି । ତାକୁ ତର୍ଜମା କରାଯାଇ ଆଗାମୀ ପଦକ୍ଷେପ ନିଆଯିବ । କୁଲଦୀପ ଏବଂ ତାଙ୍କ  ଭାଇଙ୍କ ନାଁରେ ଉନ୍ନାଓର ଜଣେ ନାବାଳିକା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଗିରଫ ହୋଇଛନ୍ତି କୁଲଦୀପଙ୍କ ସାନ ଭାଇ। ହେଲେ ବିଧାୟକଙ୍କ ଗିରଫଦାରୀ ପାଇଁ ବିଭିନ୍ନ ମହଲରୁ ଚାପ ପଡୁଛି । ସେପଟେ ପୀଡିତାଙ୍କ ଦାଦା ବିଧାୟକଙ୍କୁ  ଗିରଫ କରିବା ଦାବିରେ ଅଡି ବସିଛନ୍ତି । ଗିରଫ ନହେଲେ ନ୍ୟାୟ କିପରି ମିଳିବ ବୋଲି ପ୍ରଶ୍ନ କରିଛନ୍ତି ପୀଡିତାଙ୍କ ଦାଦା।