ଉନ୍ନାଓ ଦୁଷ୍କର୍ମ ମାମଲା, ବିଧାୟକ ସେନଗାର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ଉନ୍ନାଓ ବିଧାୟକ କୁଲଦୀପ ସେନଗାର। ଦିଲ୍ଲୀର ତିସ ହଜାରୀ କୋର୍ଟ ବିଜେପିରୁ ନିଲମ୍ୱିତ ହୋଇଥିବା ଏହି ବିଧାୟକଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡିସେମ୍ୱର ୧୯ରେ ବିଧାୟକଙ୍କ ବିରୋଧରେ ସଜା ଶୁଣାଇବେ କୋର୍ଟ।

ଉନ୍ନାଓ ଦୁଷ୍କର୍ମ ମାମଲାରେ ମୋଟ ୫ଟି ମାମଲା ରହିଛି। ଗୋଟିଏ ମାମଲାରେ ସେନଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାବାଳିକାଙ୍କୁ ଅପହରଣ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ସେନଗାରଙ୍କୁ ଦୋଷୀ ଘୋଷଣା କରିଛନ୍ତି। ତେବେ ନାବାଳିକାଙ୍କୁ ବିଧାୟକଙ୍କୁ ପାଖକୁ ନେଇ ଯାଇଥିବା ମହିଳା ଅଭିଯୁକ୍ତ ଶଶି ସିଂହଙ୍କୁ ଛାଡ଼ି ଦେଇଛନ୍ତି। ବିଧାୟକ ସେନଗାରଙ୍କ ବିରୋଧରେ ମାମଲା ରୁଜୁ ହେବାର ବର୍ଷେ ପରେ ଚାର୍ଜଶିଟ୍ ଦାଖଲ କରିଥିଲା ସିବିଆଇ। ଏ ନେଇ ସିବିଆଇକୁ ମଧ୍ୟ ଭର୍ତ୍ସନା କରିଛନ୍ତି କୋର୍ଟ। ସିବିଆଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିବ ବୋଲି ଡାକିବାରୁ ଚାର୍ଜଶିଟ୍ ଦାଖଲରେ ବିଳମ୍ୱ ହୋଇଛି। ହେଲେ ଏହି ମାମଲାରେ ସିବିଆଇ ପୀଡ଼ିତାଙ୍କ ପାଖକୁ ଯିବାର ଥିଲା ବୋଲି କୋର୍ଟ କହିଛନ୍ତି।

ବିଧାୟକଙ୍କ ବିରୋଧରେ ପକ୍ସୋ ଆକ୍ଟ (୩୭୬) ଆଧାରରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୁଷ୍କର୍ମ ପରେ ବିଧାୟକ ଧମକ ଚମକ ଦେଇଥିଲା। ଫଳରେ ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ପୀଡ଼ିତାଙ୍କ ପରିବାର ବିରୋଧରେ ବିଧାୟକଙ୍କ ଦ୍ୱାରା ଅନେକ ମିଛ ମକୋଦ୍ଦମା ରୁଜୁ କରାଯାଇଥିଲା ବୋଲି କୋର୍ଟ କହିଛନ୍ତି। ତେବେ ଏଭଳି ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୀଡ଼ିତା ଲଢ଼ୁଥିବାରୁ କୋର୍ଟ ତାଙ୍କୁ ପ୍ରଶଂସା କରିଛନ୍ତି।

ଉନ୍ନାଓର ଏହି ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୁଲିସର ଅବହେଳା, ପ୍ରଶାସନିକ ବିଫଳତା ଏବଂ ଶାସକ ଦଳର ନେତୃତ୍ୱକୁ ପଦାରେ ପକାଇଛି। କାରଣ ବିଧାୟକ ବିରୋଧରେ ପୀଡ଼ିତା ଅଭିଯୋଗ ଆଣିଥିଲେ ମଧ୍ୟ ତାହ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଅନେକ ସମାଲୋଚନାର ଶିକାର ହେବା ପରେ ବିଧାୟକ ସେନଗାର ଗିରଫ ହୋଇଥିଲେ। ଏହାର ବର୍ଷେ ପରେ ସେନଗାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

୨୦୧୭ରେ ଉନ୍ନାଓ ବିଧାୟକ ଚାକିରି ଲୋଭ ଦେଖାଇ କୁଲଦୀପ ସେନଗାର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। ତିହାର ଜେଲକୁ ସ୍ଥାନାନ୍ତର ହେବା ପୂର୍ବରୁ କୁଲଦୀପ ୟୁପିର ଏକ ଜେଲରେ ଥିଲେ। ସେତେବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେଉଥିଲେ।

ଏହାପରେ ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ପରିବାର ସହ କାର୍‌ରେ ରାଏବରେଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ନମ୍ୱର ଘୋଡ଼ାଯାଇଥିବା ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୌରୁ ଏହି ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ମାମଲାର ଶୀଘ୍ର ଶୁଣାଣି କରିବାକୁ ଯାଇ ଅଗଷ୍ଟ ୫ରୁ ନିୟମିତ ଶୁଣାଣି ଚାଲିଥିଲା। ଦୁର୍ଘଟଣା ପରେ ଲକ୍ଷ୍ନୌରୁ ଏୟାରଲିଫ୍ଟ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ପୀଡ଼ିତା। ସେପ୍ଚେମ୍ୱରରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।  ବିଧାୟକ ସେନଗାର ଏବେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।