୧୦ ଆଦିବାସୀଙ୍କ ମୃତ୍ୟୁ ପାଇଁ କଂଗ୍ରେସକୁ ଦାୟୀ କଲେ ଯୋଗୀ

ଲକ୍ଷ୍ନୌ: ଜମି ବିବାଦ କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣ ନିରୀହ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଉତ୍ତର ପ୍ରଦେଶରେ ଏବେ ବିଜେପି କ୍ଷମତାରେ ରହିଛି।

ତଥାପି ଏହି ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସକୁ ଦାୟୀ କରିଛନ୍ତି। ଅବଶ୍ୟ ସେ ଆଦିବାସୀଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଯୋଗୀ କହିଛନ୍ତି, “ଆମେ ଯଦି ଏହି ମାମଲାର ତୃଣମୂଳ ସ୍ତରକୁ ଯିବା, ତା’ହେଲେ ୧୯୫୫ରେ କ୍ଷମତାସୀନ କଂଗ୍ରେସ ସରକାର ଏଥିପାଇଁ ଦାୟୀ ରହିବେ। କାରଣ ଉତ୍ତର ପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଲୋକଙ୍କ ଜମି ହଡ଼ପ କରିବାକୁ ଏକ ଆଦର୍ଶ ସୋସାଇଟି ଗଠନ କରାଯାଇଥିଲା।

୧୯୫୫ରେ ଏହି ଜମିକୁ ଆଦର୍ଶ ସୋସାଇଟିକୁ ଦିଆଯାଇଥିଲା। ୧୯୮୯ ଯାଏ ଆଦର୍ଶ ସୋସାଇଟି ଅଧୀନରେ ଏହି ଜମି ରହିଥିଲା। ୧୯୮୯ରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଆଦର୍ଶ ସୋସାଇଟି ହିଁ ଏହି ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ କରିଦେଇ ଥିଲା।

୨୦୧୭ରେ ଉକ୍ତ ବ୍ୟକ୍ତି ଉଭାର ଗ୍ରାମ ପ୍ରଧାନଙ୍କୁ ଏହି ଜମି ବିକ୍ରି କରିଦେଇଥିଲେ। ତେଣୁ କଂଗ୍ରେସର ଭୁଲ ପାଇଁ ଆଜି ଆଦିବାସୀମାନେ ପ୍ରାଣ ହରାଇଛନ୍ତି।”

ବୁଧବାର ଗ୍ରାମ ପ୍ରଧାନ ଥିବା ଯୋଗ୍ୟ ଦତ୍ତଙ୍କ ଗୁଣ୍ଡାମାନେ ଅତ୍ୟନ୍ତ ନିର୍ମମ ଭାବେ ୧୦ ଜଣ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଥିଲେ।