ୟୁପି ଉପମୁଖ୍ୟମନ୍ତ୍ରୀ କହିଲେ, ମହାଭାରତ ସମୟରୁ ସାମ୍ବାଦିକତା ଆରମ୍ଭ ହୋଇଛି; ନାରଦକୁ କାହା ସହିତ ତୁଳନା କଲେ ପଢ଼ନ୍ତୁ

ନୂଆଦିଲ୍ଲୀ: କିଛି ଦିନ ତଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲକ କୁମାର ଦେବ କହିଥିଲେ ଯେ ମହାଭାରତ ଯୁଗରେ ଇଣ୍ଟରନେଟ୍‌ ବ୍ୟବସ୍ଥା ଥିଲା। ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଆଉ ଜଣେ ବିଜେପି ନେତା ତଥା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା କହିଛନ୍ତି ଯେ, ମହାଭାରତ ଯୁଗରୁ ସାମ୍ବାଦିକତା ଆରମ୍ଭ ହୋଇଯାଇଛି। ସେ ନାରଦ ମୁନିଙ୍କୁ ଗୁଗଲ୍‌ ଓ ମହାଭାରତରେ ଧ୍ରୁତରାଷ୍ଟଙ୍କୁ ସଞ୍ଜୟ ଯୁଦ୍ଧ କ୍ଷେତ୍ରର ବିବରଣୀ ଦେବା କଥାକୁ ଟେଲିଭିଜନରେ ହେଉଥିବା ସିଧା ପ୍ରସାରଣ ସହ ତୁଳନା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।ଗତକାଲି ହିନ୍ଦୀ ସାମ୍ବାଦିକତା ଦିବସ ପାଳନ ଆବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ,“ମହାଭାରତ ଯୁଦ୍ଧ ବେଳେ ସଞ୍ଜୟ ରାଜ ମହଲରେ ବସି ଧ୍ରୁତରାଷ୍ଟଙ୍କୁ ଯୁଦ୍ଧର ଗୋଟି ଗୋଟି ବିବରଣୀ ପ୍ରଦାନ କରୁଥିଲେ। ସେ ତାଙ୍କ ଦିବ୍ୟଦୃଷ୍ଟି ଦ୍ୱାରା ଯୁଦ୍ଧକ୍ଷେତ୍ରରେ କ’ଣ ସବୁ ଘଟୁଥିଲା ତାହା ଦେଖିପାରୁଥିଲେ ଓ ସେଗୁଡିକୁ ଧ୍ରୁତରାଷ୍ଟ୍ରକୁ ବର୍ଣ୍ଣନା କରୁଥିଲେ। ଏହା ଆଜିକାଲିର ଟେଲିଭିଜନରେ ହେଉଥିବା ସିଧାପ୍ରସାରଣ (ଲାଇଭ୍‌ ଟେଲିକାଷ୍ଟ) ପରି ନୁହେଁ ତ ଆଉ କ’ଣ?”

ଦୀନେଶ ଆହୁରି କହିଥିଲେ,“ଆଜିକାଲି ଲୋକେ ଯେ କୌଣସି ବିଷୟରେ ଜାଣିବାକୁ ଗୁଗଲ୍‌ ସର୍ଚ୍ଚ କରୁଛନ୍ତି। ଗୁଗଲରେ ସବୁ ସୂଚନା ଥାଏ। ଆଉ ଏହା ଆମର ଅନେକ ସମସ୍ୟାର ସମାଧାନ କରିଦିଏ। ସେମିତି ମହାଭାରତ ଯୁଗରେ ନାରଦ ଗୁଗଲ୍‌ର କାମ କରୁଥିଲେ। ସେ ଯେତେବେଳେ ଚାହୁଁଥିଲେ ଯେକୌଣସି ସ୍ଥାନକୁ ପହଞ୍ଚିପାରୁଥିଲେ ଓ ସମସ୍ତ ସମସ୍ୟାର ସମାଧାନ କରିପାରୁଥିଲେ। ସେ କେବଳ ତିନିଥର ନାରାୟଣ-ନାରାୟଣ କହି ଆଖିପିଛୁଳାକେ ଯେକୌଣସି ଖବର ଯେକୌଣସି ସ୍ଥାନରେ ମଧ୍ୟ ପହଞ୍ଚାଇପାରୁଥିଲେ। ଆମେ ଆମର ଗୌରବମୟ ଅତୀତକୁ ଭୁଲିବା ଉତିଚ ନୁହେଁ।”

ଦୀନେଶ ଶର୍ମା କହିଥିଲେ ଯେ ମୋତିଆବିନ୍ଦୁ ଅପରେସନ, ପ୍ଳାଷ୍ଟିକ ସର୍ଜରୀ, ପରମାଣୁ ପରୀକ୍ଷଣ ଓ ଇଣ୍ଟରନେଟ୍‌ ଭଳି ସମସ୍ତ ଆଧୁନିକ ବ୍ୟବସ୍ଥା ପୌରାଣିକ ଯୁଗରୁ ଆରମ୍ଭ ହୋଇଯାଇଥିଲା। ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଏସବୁ ବିଷୟରେ ମନ୍ତବ୍ୟ ଦେଇ ବିବାଦରେ ପଡିଥିଲେ ତଥା ସମାଲୋଚନାର ଶିକାର ହୋଇଥିଲେ।