ଆଉ ଉଡ଼ି ପାରିଲେନି ପ୍ରଜାପତି, ବନ୍ଧା ହେଲେ

ନୂଆଦିଲ୍ଲୀ: ଏକ ଗଣ ଦୁଷ୍କର୍ମ ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କୁ ଆଜି ସକାଳେ ଲକ୍ଷ୍ନୌରେ ଗିରଫ କରିଛି ପୋଲିସ୍। ଉତ୍ତର ପ୍ରଦେଶର ପୋଲିସ୍ ଡିଜି ଜାଭେଦ ଅହମଦ ତାଙ୍କ ଗିରଫଦାରୀ କଥା ସ୍ପଷ୍ଟ କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟ ପଚରାଉଚରା ବେଳେ ପ୍ରଜାପତି ପୋଲିସ୍‌କୁ କହିଛନ୍ତି ଯେ ସେ ଗତ ଫେବ୍ରୁଆରୀ ୨୭ ତାରିଖରୁ ଫେରାର ହୋଇଥିଲେ ଏବଂ ପଶ୍ଚିମ ବଙ୍ଗ ଓ ଦକ୍ଷିଣ ଭାରତର କିଛି ରାଜ୍ୟରେ ଲୁଚି ରହିଥିଲେ।

ଏହି ମାମଲାରେ ଗତକାଲି ଲକ୍ଷ୍ନୌରୁ ୩ ଜଣଙ୍କୁ ଗିରଫ କରିଥିଲା ୟୁପି ପୋଲିସ୍। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଜାପତିଙ୍କ ଦୁଇ ପୁଅ ମଧ୍ୟ ଅଛନ୍ତି। ସେମାନେ ଅଭିଯୁକ୍ତମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ସେହିପରି ଏହି ମାମଲାର ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗତସପ୍ତାହରେ ନୋଇଡାରୁ ଗିରଫ କରାଯାଇଥିଲା।

୨୦୧୪ରେ ପ୍ରଜାପତି ତାଙ୍କର ଅନ୍ୟ ୬ ସହଯୋଗୀ ମିଶି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ଉକ୍ତ ମହିଳାଙ୍କ ନାବାଳିକା ଝିଅ ସହିତ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ମାମଲାରେ ଗତ ଫେବ୍ରୁଆରୀ ୧୭ ତାରିଖରେ ପ୍ରଜାପତିଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହୋଇଥିଲା। ତା’ପରେ ଫେବ୍ରୁଆରୀ ୨୭ରୁ ଫେରାର ହୋଇଯାଇଥିଲେ ସେ। ପୋଲିସ୍ ତାଙ୍କ ନାଁରେ ଜାମିନବିହୀନ ପରୱାନା ଜାରି କରିଥିଲା। ସେ ଯେପରି ଦେଶ ଛାଡ଼ି ଯାଇ ନ ପାରିବେ ସେଥିପାଇଁ ପୋଲିସ୍ ତାଙ୍କ ପାସ୍‌ପୋର୍ଟକୁ ବାଜ୍ୟାପ୍ତ କରିଥିଲା।

ପ୍ରଜାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସରକାରରେ ମନ୍ତ୍ରୀ ଥିଲେ।