‘ସବ୍‌କା ସାଥ୍‌’ ନାରା ୟୁପିରେ ଅଦୃଶ୍ୟ: ମୁସଲିମ ଜନପ୍ରତିନିଧିଙ୍କ ସଂଖ୍ୟା ୬୯ରୁ  ଖସିଲା ୨୪କୁ

ଲକ୍ଷ୍ନୌ: ମୁସଲମାନଙ୍କୁ ନେଇ ଯଦି କୌଣସି ରାଜ୍ୟରେ ଅଧିକ ରାଜନୀତି ହୁଏ ସିଏ ହେଲା ଉତ୍ତରପ୍ରଦେଶ।  ଟିକଟ ବଣ୍ଟନଠାରୁ ଭୋଟ ବ୍ୟାଙ୍କ ପର୍ଯ୍ୟନ୍ତ ବିଭିନ୍ନ ଦଳମାନେ ଏହି ସଂଖ୍ୟା ଲଘୁ ଗୋଷ୍ଠୀକୁ ବିଶେଷ ଗରୁତ୍ୱ ଦେଇ ଥାଆନ୍ତି। କାରଣ ଉତ୍ତରପ୍ରଦେଶର ମୋଟ ଜନ ସଖ୍ୟାରୁ ୧୯ ପ୍ରତିଶତ ହେଉଛି ମୁସଲିମ ସମ୍ପ୍ରଦାୟର। ତେବେ ଗତକାଲିର ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। ଗତ ବିଧାନସଭା ନିର୍ବାଚନରେ ୟୁପି ବିଧାନସଭାକୁ ୬୯ ଜଣ ସଂଖ୍ୟା ଲଘୁ ଜନପ୍ରତିନିଧ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଏହି ସଂଖ୍ୟା ୨୪କୁ ଖସିଯାଇଛି। ୪୦୩ ଆସନ ବିଶିଷ୍ଟ ୟୁପିରେ ବିଜେପି ପକ୍ଷରୁ ଏଥର କୌଣସି ଆସନରେ ମୁସଲମାନଙ୍କୁ ଟିକଟ ଦିଆଯାଇ ନ ଥିଲା। ମୁଖଃତ ପଶ୍ଚିମ ଉତ୍ତରପ୍ରଦେଶର ରୋହିଲଖଣ୍ଡ ଏବଂ ପୂର୍ବ ଉତ୍ତରପ୍ରଦେଶର ତେରାଇ ଅଞ୍ଚଳରେ ମୁସଲମାନନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ତେବେ ମେଣ୍ଟରେ ଥିବା ଏସପି ଏବଂ କଂଗ୍ରେସ ପକ୍ଷରୁ କିଛି ସ୍ଥାନରେର ପ୍ରାର୍ଥୀ ଦିଆଯାଇଥିବା ବେଳେ ବିଏସପି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଦିଆଯାଇଥିଲା। ହେଲେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆ ନ ଯିବା ନେଇ ବିଭିନ୍ନ ପ୍ରକାର ରାଜନୈତିକ ଆଲୋଚନା ହେଉଛି। ଏହାକୁ ନେଇ ବିରୋଧୀ ଦଳମାନେ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି କେବଳ ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଛି ବୋଲି ଏସପି ଏବଂ କଂଗ୍ରେସ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନାରା ସବ୍‌ କା ସାଥ ସବ୍‌କା ବିକାଶ ଧୂଆଁବାଣ ବୋଲି କହିଛନ୍ତି। ସେପଟେ ମୁସଲିମ୍ ପ୍ରାର୍ଥୀ ନ ଦେଇ ମଧ୍ୟ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି। ତେଣୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଆମ ସହ ଥିବା ନିର୍ବାଚନ ଫଳାଫଳ ପ୍ରମାଣିତ କରିଥିବା ବିଜେପି ପକ୍ଷରୁ କୁହାଯାଇଛି।