ୟୁପି ପୋଲିସର ଅପରେସନ୍ କ୍ଲିନ୍, ୨ ଦିନରେ ୧୫ରୁ ଅଧିକ ଏନ୍‌କାଉଣ୍ଟର

ଲକ୍ଷ୍ମୌ(ଓଡିଶା ରିପୋର୍ଟର): ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ସାବାଡ୍ କରିବାକୁ ଉତ୍ତରପ୍ରଦେଶ ପୋଲିସ ଆରମ୍ଭ କରିଛି ଅପରେସନ୍ କ୍ଲିନ୍ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହ୍ୱିପ୍‌ ପରେ ଆରମ୍ଭ ହୋଇଥିଲା ଏହି ଅପରେସନ। ଏହାର ୪୮ ଘଣ୍ଟା ଭିତରେ ୟୁପି ପୋଲିସ ୧୫ଟି ଏନ୍‌କାଉଣ୍ଟର କରିଛି। ଗିରଫ ହୋଇଛନ୍ତି ୨୪ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର।

ରାଜ୍ୟକୁ ଅପରାଧମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏହି ଅପରେସନ ଜରିଆରେ ତାକୁ ହିଁ ଅନୁପାଳନ କରାଯାଇଛି।  ଗିରଫ ସମସ୍ତ ଅପରାଧି ରାଜ୍ୟ ପୋଲିସ ପାଇଁ ପାଲଟିଥିଲେ ମୁଣ୍ଡବିନ୍ଧାର କାରଣ । ଏପରିକି ଏମାନଙ୍କ ଧରାଇଦେବାକୁ ୧୫ରୁ ୫୦ ହଜାର ଟଙ୍କା ଯାଏଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ମୁଜାଫରନଗର, ଗୋରଖପୁର, କାନପୁର ଭଳି ୧୦ଟି ଜିଲ୍ଲାରେ ଏସବୁ ଏନ୍‌କାଉଣ୍ଟର କରିଛି ପୋଲିସ। ପରିସ୍ଥିତି ଦେଖି ଆତ୍ମରକ୍ଷା ପାଇଁ ଫାୟାରିଂ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜିପି କହିଛନ୍ତି।