ପ୍ରିୟଙ୍କା ଗାନ୍ଧିଙ୍କ ପରେ ଟିଏମସି ସାଂସଦ ଓବ୍ରାଏନଙ୍କୁ ସୋନଭଦ୍ରା ଯିବାକୁ ମିଳିଲାନି ଅନୁମତି

ବାରଣାସୀ  : ଉତ୍ତର ପ୍ରଦେଶର ସୋନଭଦ୍ରା ଗୁଳିକାଣ୍ଡର ଶିକାର ହୋଇଥିବା ମୃତକଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଯାଉଥିବା ବେଳେ ତାଙ୍କୁ ଅଟକ ରଖିଛି ୟୁପି ପୁଲିସ। ବାରଣାସୀ ବିମାନ ବନ୍ଦରରୁ ଟିଏମସି ସାଂସଦ ଓବ୍ରାଏନ ଓ ତାଙ୍କର ଦୁଇ ସହଯୋଗୀ ବାହାରିବା ପରେ ସ୍ଥାନୀୟ ପୁଲିସ ସୋନଭଦ୍ରା ଯିବା ପାଇଁ ସାଂସଦ ଓବ୍ରାଏନଙ୍କୁ ବାରଣ କରିଥିଲା। କାରଣ ଉକ୍ତ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି। ଜବାବରେ ଓବ୍ରାଏନ କହିଥିଲେ ୧୪୪ ଧାରା ଲାଗୁ ହୋଇଥିଲେ ଏକା ସାଙ୍ଗରେ ପାଞ୍ଚ ଜଣ ବ୍ୟକ୍ତି ଯାଇପାରିବେନି ସିନା କିନ୍ତୁ ସେମାନେ ତ  ମାତ୍ର ୩ ଜଣ।  ତଥାପି ୟୁପି ପ୍ରଶାସନ କାହିଁକି ସେମାନଙ୍କୁ ଛାଡୁ ନାହିଁ ବୋଲି ସେ ପୁଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ପରେ ପ୍ରତିବାଦ ସ୍ୱରୂପ ଏୟାରପୋର୍ଟ ବାହାରେ ଧାରଣାରେ ବସିଛନ୍ତି ଏହି ଟିଏମସି ସାଂସଦ। ଓବ୍ରାଏନ ଟ୍ୱିଟ କରି କହିଛନ୍ତି, ପୁଲିସ ବେଆଇନ ଭାବରେ ତାଙ୍କୁ ଅଟକ ରଖିଛି।

ସୋନଭଦ୍ରା ଯିବା ସମ୍ଭବ ହେଉନଥିବାରୁ ବିଏଚୟୁ ଟ୍ରମା ସେଣ୍ଟରକୁ ଯାଇ ଆହତଙ୍କୁ ଭେଟିବା ପାଇଁ ଓବ୍ରାଏନ ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣ ଗୁଳିର ଶିକାର ହୋଇଥିଲେ। ଏବେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଦ୍ରା ମଧ୍ୟ ସୋନଭଦ୍ରା ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନଭଦ୍ରା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ପ୍ରିୟଙ୍କା ୪ ଜଣଙ୍କୁ ସାଙ୍ଗରେ ନେଇ ଯାଇପାରିବେ ନାହିଁ ବୋଲି ପୁଲିସ କହିଥିଲା।

ପୁଲିସ୍‌ ପ୍ରିୟଙ୍କାକୁ ଅଟକ ରଖିବା ପରେ ସେ ଓ ଅନ୍ୟ କଂଗ୍ରେସ ନେତାମାନେ ମିର୍ଜାପୁର ଠାରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ।