ଟ୍ରକ୍ ଓ ସ୍କୁଲ୍ ବସ୍ ମୁହାଁମୁହିଁ ଧକ୍କା, ୧୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏଟାରେ ଆଜି ସକାଳେ ଏକ ସ୍କୁଲ୍ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ବସ୍‌ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଏକ ଘରୋଇ ସ୍କୁଲ୍‌ର ପିଲା।  ସମସ୍ତଙ୍କ ବୟସ ସାତରୁ ଦଶ ବର୍ଷ ମଧ୍ୟରେ। ସ୍କୁଲ୍‌ ଯିବା ବେଳେ ଅଲିଗଞ୍ଜ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବସ୍‌ରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଥିଲେ। ଟ୍ରକ୍ ଡ୍ରାଇଭରର ଅବସ୍ଥା ମଧ୍ୟ ଗୁରୁତର ଅଛି।

ପ୍ରବଳ ଶୀତଲହରୀ ଯୋଗୁ ପ୍ରଶାସନ ପକ୍ଷରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ଏହି ଘରୋଇ ସ୍କୁଲ୍ ଖୋଲା ଥିଲା। ଏହାର ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି।

ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।