ଓଡ଼ିଶା ପରେ ୟୁପି: ଔଷଧ ପାଇଁ ୩୦ ଟଙ୍କା ମାଗିବାରୁ ଟ୍ରିପଲ୍ ତଲାକ୍

ହାପୁର: ଓଡ଼ିଶା ପରେ ଉତ୍ତର ପ୍ରଦେଶରେ ଜଣେ ମହିଳା ଔଷଧ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗିବାରୁ ସେ ଟ୍ରିପଲ୍ ତଲାକ୍ ଦେଇଥିବା ଜଣାପଡ଼ିଛି। ଟ୍ରିପଲ୍ ତଲାକ୍ ପରମ୍ପରାକୁ କେନ୍ଦ୍ର ସରକାର ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପରେ ମଧ୍ୟ ଏହାକୁ କେହି ବି ଖାତିର କରୁନାହାନ୍ତି।

ଉତ୍ତର ପ୍ରଦେଶର ହାପୁରରେ ଜଣେ ମୁସଲିମ ମହିଳା ମେଡିସିନ୍‌ ପାଇଁ ସ୍ୱାମୀଙ୍କୁ ୩୦ ଟଙ୍କା ମାଗିଥିଲେ। ହେଲେ ଟଙ୍କା ବଦଳରେ ସ୍ୱାମୀ ତିନି ଥର ତଲାକ୍ କହି ତାଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପୀଡ଼ିତା ମହିଳାଙ୍କ ମା’ କହିଛନ୍ତି, “ମୋ ଝିଅ ଅସୁସ୍ଥ ହେବାରୁ ତା’ ସ୍ୱାମୀଙ୍କୁ ମେଡିସିନ୍‌ ପାଇଁ ୩୦ ଟଙ୍କା ମାଗିଥିଲା।

ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଜଣଙ୍କ ମୋ ଝିଅକୁ ତଲାକ୍ ଦେଇଛି। ତଲାକ୍ ପରେ ସେମାନେ ମୋ ଝିଅକୁ ଘରୁ ବାହାର କରିଦେଇଛନ୍ତି।”

ପୀଡ଼ିତା ଜଣଙ୍କ କହିଛନ୍ତି, “୩ ବର୍ଷ ତଳେ ଆମ ବାହାଘର ହୋଇଥିଲା। ମେଡିସିନ୍‌ ପାଇଁ ମୁଁ ମାତ୍ର ୩୦ ଟଙ୍କା ମାଗିଥିଲି। ଟଙ୍କା ବଦଳରେ ମୋତେ ଟ୍ରିପଲ୍ ତଲାକ୍ ମିଳିଥିଲା। ମୋ ଦୁଇ ପିଲାଙ୍କୁ ସେମାନେ ମୋ ଠାରୁ ଛଡ଼ାଇ ନେଇ ମୋତେ ଘରୁ ଧକ୍କା ଦେଇ ବିଦା କରିଦେଇଛନ୍ତି।”

ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ବୋଲି ହାପୁର ଡିଏସ୍‌ପି ରାଜେଶ ସିଂହ କହିଛନ୍ତି।

ଗତକାଲି ଓଡ଼ିଶାର ବାଲେଶ୍ୱର ଜିଲା ସୋର ପଠାଣ ମହଲାରେ ପତ୍ନୀ ଇଦ୍‌ ଖର୍ଚ୍ଚ ମାଗିବାରୁ ସ୍ୱାମୀ ଜଣଙ୍କ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।