ଭାରତ କରି ଥିଲା ଭୁଲ୍‌; ସାଲ୍‌ଭେଙ୍କ ବଦଳରେ ବାଛି ଥିଲା ଏହି ପାକିସ୍ତାନୀ ଓକିଲଙ୍କୁ, ତା’ପରେ କ’ଣ ହେଲା ପଢ଼ନ୍ତୁ…

ନୂଆଦିଲ୍ଲୀ: ମେ’ ୧୫ ତାରିଖରେ ଅନ୍ତର୍ଜାତୀୟ କୋର୍ଟ କୁଲଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏହା ପରେ ଯେଉଁ ବ୍ୟକ୍ତି ସର୍ବାଧିକ ଚର୍ଚ୍ଚାର ପରିସରକୁ ଆସିଥିଲେ ସେ ହେଉଛନ୍ତି ଦେଶର ନାମୀଦାମୀ ଓକିଲ ହରିଶ ସାଲ୍‌ଭେ। ତାଙ୍କର ଦୃଢ଼ ଯୁକ୍ତ ଓ ଦଲିଲକୁ ଅନ୍ତଜାର୍ତୀୟ କୋର୍ଟ ଗ୍ରହଣ କରିଥିଲେ ଓ କୁଲଭୂଷଣଙ୍କୁ ପାକିସ୍ତାନୀ ସେନା କୋର୍ଟ ଦ୍ୱାରା ପ୍ରଦତ୍ତ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଅନ୍ତଜାର୍ତୀୟ କୋର୍ଟରେ ଯେଉଁ ପାକିସ୍ତାନୀ ଓକିଲଙ୍କୁ ସାଲ୍‌ଭେ ମାତ୍‌ ଦେଇଥିଲେ ସେ ହେଉଛନ୍ତି ଖୈବର କ୍ୟୁରୈଶୀ। କିନ୍ତୁ ଜାଣିଛନ୍ତି ୧୫ ବର୍ଷ ତଳେ ଆମେରିକାରେ ଏକ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ୍‌ରେ ଏକ ମାମଲା ଲଢ଼ିବା ପାଇଁ ଭାରତ ସାଲେଭ୍‌ଙ୍କ ବଦଳରେ ବାଛିଥିଲା କ୍ୟୁରୈଶୀଙ୍କୁ। ସେତେବେଳେ କେନ୍ଦ୍ରରେ ଶାସନ କରୁଥିଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ।

ମାମଲାଟି ଥିଲା ମହାରାଷ୍ଟ୍ରର ଡାଭୋଲ୍ ପାୱାର ପ୍ରୋଜେକ୍ଟକୁ ନେଇ। ମାମଲା ରୁଜୁ କରିଥିଲା ଆମେରିକୀୟ ବିଦ୍ୟୁତ ଶକ୍ତି ଓ ସର୍ଭିସ୍ କଂପାନୀ ଇନ୍‌ରୋନ୍‌। ଡାଭୋଲ ପାୱାର ପ୍ରୋଜେକ୍ଟ ନିର୍ମାଣ ସହିତ ଏହି କଂପାନୀ ବି ଜଡ଼ିତ ଥିଲା। ପରେ ଦୁର୍ନୀତି ବିବାଦରେ ଛନ୍ଦି ହୋଇପଡ଼ିଥିଲା ଏହି ପ୍ରକଳ୍ପ।

ଏହି ମାମଲାରେ ଭାରତ ପାଇଁ କୋଟି କୋଟି ଟଙ୍କାର ବାଜି ଲାଗିଥିଲା। ୨୦୦୨ରେ ସାଲ୍‌ଭେ ଦେଶର ସଲିସିଟର ଜେନେରାଲ୍ ପଦବୀରୁ ଅବ୍ୟାହତି ନେବା ପରେ ଏହି ମାମଲା ଲଢ଼ିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର କରିଥିଲା। ନୂଆ ସରକାର ଆସିବା ସହିତ ଆଟୋର୍ଣ୍ଣି ଜେନେରାଲ୍ ମିଲୋନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆଇନଜ୍ଞଙ୍କର ଏକ ନୂଆ ଟିମ୍ ଗଠନ ହେଲା। ଆଉ ଇନ୍‌ରୋନ୍‌ ବିପକ୍ଷରେ ଡାଭୋଲ ମାମଲା ଲଢ଼ିବା ପାଇଁ ସରକାର ଫକ୍ସ ଓ ମଣ୍ଡଲ ଲ ଫାର୍ମକୁ ବାଛିଲେ।

କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେତେବେଳେ ସରକାର ସାଲ୍‌ଭେଙ୍କୁ ପଚାରିଥିଲେ ସେ ଆଉ ଏହି ମାମଲା ଲଢ଼ିବେ ନା ନାହିଁ। ସାଲ୍‌ଭେ ସହମତି ଜଣାଇଥିଲେ ଓ କୋର୍ଟରେ ପ୍ରତିଦିନର ଉପସ୍ଥିତି ପାଇଁ ଏକ ଲକ୍ଷ ଟଙ୍କା ଫି’ ମାଗିଥିଲେ। ତେବେ ସରକାର ହଠାତ୍ ତାଙ୍କ ବଦଳରେ ଖୈବର କ୍ୟୁରୈଶୀଙ୍କୁ ଏହି ମାମଲା ଲଢ଼ିବା ପାଇଁ ନିଯୁକ୍ତି ଦେବାକୁ ଫକ୍ସ ଓ ମଣ୍ଡଲ ଲ’ ଫାର୍ମକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏଥିପାଇଁ ଭାରତ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ଇନ୍‌ରୋନ୍‌ ଠାରୁ କେସ୍ ହାରି ଯାଇଥିଲେ। କ୍ୟୁରୈଶୀଙ୍କୁ ବହୁତ ଅର୍ଥ ଦେଇଥିଲେ ଯାହା ବେକାର ଯାଇଥିଲା।

ଏହା ସତ ବୋଲି ସାଲ୍‌ଭେ ଟାଇମ୍‌ସ ଅଫ୍ ଇଣ୍ଡିଆକୁ କହିଛନ୍ତି। ସେ କହିଛନ୍ତି ଯେ ସରକାର ବଦଳିବା ସତ୍ତ୍ୱେ ସେ ଏହି ମାମଲା ଲଢ଼ିବା ପାଇଁ ରାଜି ଥିଲେ। ଏହା ଏକ ପେଶାଗତ ନିଷ୍ପତ୍ତି ଥିଲା ଭାରତ ପାଇଁ ଲଢ଼ିବାକୁ। କିନ୍ତୁ ଗଣମାଧ୍ୟମରୁ ସେ ଜାଣିବାକୁ ପାଇଲେ ଯେ ଏହି ମାମଲା ଲଢ଼ିବା ପାଇଁ କ୍ୟୁରୈଶୀଙ୍କୁ ବଛା ଯାଇଛି। ତାଙ୍କୁ କ୍ୟୁରୈଶୀଙ୍କୁ ଡେପୁଟି ହେବାକୁ କୁହାଯାଇଛି। ସରକାର ଏ ବିଷୟରେ ତାଙ୍କୁ ପୂର୍ବରୁ କିଛି କହି ନ ଥିଲେ। ତେଣୁ ସେ ଭାରତକୁ ଶୁଭେଚ୍ଛା ଜଣାଇ ଏହି ମାମଲା ଲଢ଼ିବାରୁ ଓହରି ଯାଇଥିଲେ।

ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ