ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣା: ଗୋପାଲ୍‌ଙ୍କୁ ବର୍ଷେ ଜେଲ

ନୂଆଦିଲ୍ଲୀ: ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ଘଟଣାରେ କୋର୍ଟ ଗୋପାଲ ଅନ୍‌ଶଲଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସୁଶିଲ ଅନ୍‌ଶଲଙ୍କ ଦଣ୍ଡ ବଢ଼ାଇବାକୁ ମନା କରିଛନ୍ତି। ସୁଶିଲଙ୍କୁ ଆଉ ଜେଲକୁ ଯିବେ ନାହିଁ।

୧୯୯୭ ଜୁନ୍‌ ୧୩ ତାରିଖରେ ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟି ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସିନେମା ହଲର ମାଲିକ ଅନ୍‌ଶଲ ଭ୍ରାତା ଥିଲେ। ୨୦୦୭ରେ ନିମ୍ନ ଅଦାଲତ ଏହି ମାମଲାକୁ ବିଚାର କରି ଦୁଇ ଭ୍ରାତାଙ୍କୁ ଦୁଇବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ବିରୋଧ କରି ଅନ୍‌ଶଲ ଭ୍ରାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ବିଚାର କରି ଦଣ୍ଡାଦେଶକୁ ଏକ ବର୍ଷକୁ କମାଇ ଦେଇଥିଲେ।

ଏହାକୁ ବିରୋଧ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ୩ ଜଣ ଜଜ୍‌ଙ୍କୁ ନେଇ ଗଠିତ ଖଣ୍ଡପିଠ ଏହାର ବିଚାର କରି ଉଭୟ ଭାଇଙ୍କୁ ୩୦ କୋଟି ଲେଖାଏଁ ଜରିମାନା କରିବା ସହ ସେ ସମୟରେ ଉଭୟ ଭୋଗିଥିବା ଜେଲ୍‌ଦଣ୍ଡ ପ୍ରର୍ଯ୍ୟାପ୍ତ ଦର୍ଶାଇ ମୁକ୍ତ କରି ଦେଇଥିଲେ।

ଏହାକୁ ବିରୋଧ କରି ଉପହାର ଦୁର୍ଘଟଣା ପୀଡିତ ସଂଘ ଓ ସିବିଆଇ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ବୟସ ଅଧିକ ହୋଇଯାଇଥିବାରୁ କୋର୍ଟ ସୁଶିଲଙ୍କୁ ଦଣ୍ଡାଦେଶକୁ ବଢାଇ ନାହାନ୍ତି।