ଉର୍ମିଲାଙ୍କ ବିରୁଦ୍ଧରେ ହିନ୍ଦୁ ଧର୍ମ ପ୍ରତି ଅପମାନ ଅଭିଯୋଗ ଆଣିଲା ବିଜେପି

ମୁମ୍ବାଇ: କିଛି ଦିନ ପୂର୍ବେ କଂଗ୍ରେସ୍‌ ପାର୍ଟିରେ ସାମିଲ ହୋଇଥିବା ଭେଟରାନ୍‌ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରକୁ ଟାର୍ଗେଟ୍‌ କରିଛି ବିଜେପି।  ହିନ୍ଦୁ ଲୋକଙ୍କ ସ୍ୱାଭିମାନକୁ ଉର୍ମିଲା ଆଘାତ ଦେଇଥିବା ବିଜେପି ଲିଡର ଅଭିଯୋଗ କରିଛନ୍ତି। ଏ ନେଇ ସେ ପୱଇ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ମଧ୍ୟ ରୁଜୁ କରାଇଛନ୍ତି।  ଏ ନେଇ ଉର୍ମିଲା ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଉର୍ମିଲା କହିଛନ୍ତି, ‘ମୋ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ। ଯେଉଁ ବ୍ୟକ୍ତି ମୋଁ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି, ସେ ବିଜେପିର ଜଣେ ସଦସ୍ୟ ଓ ତାଙ୍କ ଉଦ୍ଦେଶ୍ୟ  କିଛି ଠିକ୍‌ ନାହିଁ। ମୁଁ  ଗଣମାଧ୍ୟମ ସହ ସାକ୍ଷାତକାରରେ କହିଥିଲି ଯେ ବିଜେପି ଦ୍ୱାରା ହିନ୍ଦୁ ଧର୍ମ ନାଁରେ ମିଛ ଓ ହିଂସାତ୍ମକ ବିଚାରଧାରାର ପ୍ରଚାର କରାଯାଉଛି। ସେଥିରେ ଆମ ମହାନ ହିନ୍ଦୁ ଧର୍ମର ଅପମାନ ହେଉଛି। ହିନ୍ଦୁ ଧର୍ମ ଶାନ୍ତି ଓ ଅହିଂସାର ଧର୍ମ। ମୁଁ ସେହି ହିନ୍ଦୁ ଧର୍ମରେ ବିଶ୍ୱାସ କରେ ଯିଏ ‘ ବସୁଦୈବ କୁଟୁମ୍ବକମ୍‌ ଓ ଅହିଂସା ପରୋମୋଧର୍ମରେ ବିଶ୍ୱାସ କରିଥାଏ।’

ସେ ଆହୁରି କହିଛନ୍ତି, ‘ଏହା ହେଉଛି ସେହି ଧର୍ମ ଯାହାକୁ ମହାନ୍ ଲୋକମାନ୍ୟ ତିଲକ, ଗାନ୍ଧି ଜୀ, ବିବେକାନନ୍ଦ ଓ ସର୍ଦ୍ଦାର ପଟେଲ୍ ପରି  ଲୋକମାନେ ପ୍ରମୋଟ କରିଥିଲେ। ମୁଁ ଏହିଁ ଧର୍ମରେ ବିଶ୍ୱାସ କରେ, ବିଜେପି ପ୍ରଚାର କରୁଥିବା ଭଳି ଧର୍ମରେ ବିଶ୍ୱାସ କରେ ନାହିଁ।’

ଉର୍ମିଲା କହିଛନ୍ତି, ‘ଦୁର୍ଭାଗ୍ୟବଶତଃ ଆଜିର ସମୟରେ ବିଜେପି ବିଚାରଧାରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଓ ସତ କହୁଥିବା ଲୋକଙ୍କୁ ଏପରି ଭୟଭୀତ କରି ଦିଆଯାଉଛି ଯେ,  ଯେମିତି ଆପଣ କୌଣସି ବଡ଼ ଅପରାଧ କରିଦେଇଛନ୍ତି। ମୁଁ ବିଜେପିରେ ଏଭଳି ଆକ୍ରମଣାତ୍ମକ ଓ ମିଛ ପଲିସିକୁ ସମାଲୋଚନା କରୁଛି। ସତ୍ୟମେବ ଜୟତେ!’

ସୂଚନା ଅନୁଯାୟୀ ଉର୍ମିଲା ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ତାଙ୍କୁ ମୁମ୍ବାଇ ନର୍ଥରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଚୟନ କରିଛି। ଏହା ସେହି ଆସନ ଯେଉଁଠି ୨୦୦୪ରେ ଗୋବିନ୍ଦା ନିର୍ବାଚନ ଲଢ଼ିଥିଲେ। ମୁମ୍ବାଇ ନର୍ଥରୁ ବିଜେପି ସେଠାକାର ସାଂସଦ ଗୋପାଳ ସେଟ୍ଟୀଙ୍କୁ ଟିକେଟ ଦେଇଛି। ଗୋପାଳ ଶେଟ୍ଟୀ ଗତ ନିର୍ବାଚନରେ କଂଗ୍ରେସ୍‌ର ସଞ୍ଜୟ ନିରୁପମଙ୍କୁ ହରାଇଥିଲେ।