ଟ୍ରମ୍ପଙ୍କ କଶ୍ମୀର ବୟାନରେ ତାଳି ପକାଇବାକୁ ଆମେରିକାର ଉଦ୍ୟମ

ୱାଶିଂଟନ୍‌: କଶ୍ମୀର ସମସ୍ୟା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବା ପାଇଁ ଚାହୁଁଥିବା କହିବା ଏବଂ ଭାରତ ଆପତ୍ତି ଉଠାଇବା ପରେ ଏବେ ହ୍ୱାଇଟ୍‌ ହାଉସ ପକ୍ଷରୁ ଏହା ଉପରେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।

ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “କଶ୍ମୀର ସମସ୍ୟା ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ। ଆମେରିକା କେବଳ ଏହି ଦୁଇ ଦେଶକୁ ସହଯୋଗ କରିବାକୁ ଚାହୁଁଛି। ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଭାରତ ଓ ପାକିସ୍ତାନ ଏକାଠି ବସି ଏହାର ସମାଧାନ କରନ୍ତୁ। ଦୁଇ ଦେଶକୁ ଏକାଠି ବସିବା ପାଇଁ ଆମେରିକା କେବଳ ସହଯୋଗ କରିବ। ଯଦି ଭାରତ ଓ ପାକିସ୍ତାନ ଆଲୋଚନା କରିବାକୁ ଚାହୁଁଛନ୍ତି, ତା’ହେଲେ ଟ୍ରମ୍ପ ପ୍ରଶାସନ ଏଥିରେ ସହାୟତା କରିବ। ଆମେରିକା ସବୁ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ। ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିବା ଉଚିତ।”

ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବୟାନକୁ ଆମେରିକାର ସାଂସଦମାନେ ମଧ୍ୟ ନାପସନ୍ଦ କରିଛନ୍ତି। ଏପରି କି ଡେମୋକ୍ରାଟିକ୍‌ ପାର୍ଟିର ସାଂସଦ ବ୍ରାଡ ଶେରମାନ ମଧ୍ୟ ଏଥିପାଇଁ ଭାରତକୁ କ୍ଷମା ମାଗିଛନ୍ତି। ସେ ଟ୍ୱିଟ କରି କହିଛନ୍ତି,“ମୁଁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷ ଶ୍ରୀଗଂଲଙ୍କୁ କ୍ଷମା ମାଗିଛି। ସମସ୍ତେ ଦକ୍ଷିଣ ଏସିଆର ବିଦେଶ ନୀତି ସମ୍ପର୍କରେ ଜାଣିଛନ୍ତି। ଏକଥା ସମସ୍ତେ ଜାଣିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ଭାରତ ଲଗାତର ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରିଆସୁଛି।

ଟ୍ରମ୍ପଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ହେଲେ କଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇ ନଥିବେ। ଟ୍ରମ୍ପଙ୍କ ବୟାନ ଭୁଲ ଓ ଲଜ୍ଜାଜନକ।”

ଗତକାଲି ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଏହି ସମୟରେ ଟ୍ରମ୍ପ କହିଥିଲେ ଯେ “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି।” ତେବେ ଭାରତ ପକ୍ଷରୁ ଏହାକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି।