ଉତ୍ତରାଖଣ୍ଡର ନୂଆ ଉତ୍ତରାଧିକାରୀ: ତ୍ରିବେନ୍ଦ୍ରଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ତ୍ରିବେନ୍ଦ୍ର ସିଂ ରାୱତ। ଶୁକ୍ରବାର ଡେରାଡୁନ୍‌ରେ ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରାୱତଙ୍କ ନାମ ପାରିତ ହୋଇଛି। ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ପରେଡ ଗ୍ରାଉଣ୍ଡରେ ରାୱତ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମିଲ ହେବ। ଏହି ଉତ୍ସବରେ ଦେଶର ଅନ୍ୟ ପ୍ରମୁଖ ଦଳର ନେତାମାନେ ଯୋଗ ଦେବାର ଅମ୍ଭାବନା ରହିଛି।

ଉତ୍ତରାଖଣ୍ଡର ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୫୭ ଆସନରେ ବିଜୟୀ ହୋଇଛି।

୧. ରାୱତ ୧୯୬୦ ଡିସେମ୍ବର ୨୦ରେ ଖେରାସେନରେ ଜନ୍ମ ଗ୍ରହଣ କରିଥିଲେ।

୨. ବାପାଙ୍କ ନାଁ ପ୍ରତାପ ସିଂହ ରାୱତ ଏବଂ ମାତାଙ୍କ ନାଁ ବୋଦ୍ଧା ଦେବୀ।

୩. ପତ୍ନୀ ସୁନୀତା ରାୱତ ଏକ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି।

୪. ରାୱତଙ୍କ ୨ଟି ଝିଅ।

୫. ସାମ୍ବାଦିକତାରେ ପୋଷ୍ଟ ଗ୍ରାଜୁଏଶନ କରିଛନ୍ତି।

୬. ୧୯୭୯ରେ ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ (ଆରଏସ୍‌ଏସ୍‌)ରେ ସାମିଲ ହୋଇଥିଲେ।

୭. ୧୯୮୩ରୁ ୨୦୦୨ ପର୍ଯ୍ୟନ୍ତ ଆରଏସ୍‌ଏସ୍‌ର ପ୍ରଚାରକ ଥିଲେ।

୮. ୧୯୮୫ରେ ଡେରାଡୁନ ମହାନଗର ନିଗମର ପ୍ରଚାରକ ଥିଲେ।

୯. ୨୦୦୨ ଓ ୨୦୧୨ରେ ଡୋଇୱାଲା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ।

୧୦. ୨୦୧୩ରେ ବିଜେପିର ରାଷ୍ଟ୍ରୀୟ ସଚିବ ହୋଇଥିଲେ।

୧୧. ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅମିତ ଶାହାଙ୍କ ସହ ସହପ୍ରଭାରୀ ଦାୟିତ୍ୱ ତୁଲାଇ ଥିଲେ। ଏହି ନିର୍ବାଚନରେ ୭୩% ପ୍ରାର୍ଥୀଙ୍କ ବିଜୟରେ ମୁଖ୍ୟ ଭୁମିକା ଲିଭାଇଥିଲେ।

୧୨. ୨୦୦୭ରୁ ୨୦୧୨ ମଧ୍ୟରେ ରାଜ୍ୟରେ ବିଜେପି ସରକାରରେ କୃଷୀମନ୍ତ୍ରୀ ଥିଲେ।

୧୩. ୨୦୧୪ ଅକ୍ଟୋବରରେ ତାଙ୍କୁ ଝାରଖଣ୍ଡର ପ୍ରଭାରୀ କରାଯାଇଥିଲା। ତାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଝାରଖଣ୍ଡରେ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା।

୧୪. ୨୦୧୭ ବିଧାନସଭା ନିର୍ବାଚନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୪,୮୬୯ ଭୋଟରେ ପରାସ୍ତ କରିଥିଲେ।