ଉତ୍ତର ଭାରତରେ ଶୀତ ଲହରୀ, ବିଭିନ୍ନ ସ୍ଥାନରେ ତୁଷାରପାତ

ନୂଆଦିଲ୍ଲୀ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁଷାରପାତ ଯୋଗୁଁ ମୋଗଲ୍ ରୋଡ ବନ୍ଦ ହୋଇଯାଇଛି। ଅନନ୍ତନାଗ ଜିଲ୍ଲାର ରାଜମାର୍ଗର ଜବହାର ଷୁଢଙ୍ଗ ଅଞ୍ଚଳରେ ଯିବା ବିପଦପୂର୍ଣ୍ଣ ହୋଇଯାଇଛି।

ଜମ୍ମୁ-କାଶ୍ମୀରର ଗୁଲମର୍ଗରେ ଗତ ୨୪ ଘଣ୍ଟା ହେବ ତୁଷାରପାତ ଜାରି ରହିଛି। ପୂରା ସହରଟା ବରଫ ଚାଦର ଘୋଡ଼ାଇ ହେବା ପରି ଦେଖାଯାଉଛି। ଗତକାଲି ଶ୍ରୀନଗର ୨୪ ଘଣ୍ଟା ମଧ୍ୟରେ ୪୮.୨ ମିଲିମିଟର ବର୍ଷା ହେବା ସହ ତୁଷାରପାତ ହୋଇଛି। କାର୍ଗିଲ ଓ ଲେହରେ ତମାମାତ୍ରା -୧.୪ ଡିଗ୍ରୀ ରେକର୍ଡ କରାଯାଇଛି। କାଶ୍ମୀର ଘାଟିର ସମତଳ ଅଞ୍ଚଳରେ ପ୍ରଥମ ଥର ପାଇଁ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ହିମାଚଳ ପ୍ରଦେଶର ଚମ୍ବାରେ ଗତ ୨୪ ଘଣ୍ଟା ମଧ୍ୟରେ ତୁଷାରପାତ ଜାରି ରହିଛି। ଚମ୍ବାର ଡାୟନକୁଣ୍ଡ ଓ ଲକଡମଣ୍ଡିରେ ଦୁଇ ଫୁଟର ବରଫ ପଡ଼ିଥିବା ଦେଖିବାକୁ ମିଳିଛି। ତାପମାତ୍ରା ଶୂନ ଡିଗ୍ରୀକୁ ତଳକୁ ଖସି ଆସିଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି।

ଉତ୍ତରାଖଣ୍ଡରେ ୩୬ ଘଣ୍ଟା ମଧ୍ୟରେ ତୁଷାରପାତ ହେବାର ଆଶଙ୍କା କରାଯାଉଛି। ଉତ୍ତରକାଶୀ, ଚମେଲି ଓ ରୁଦ୍ର ପ୍ରୟୋଗ ଅଞ୍ଚଳରେ ଅଧିକରୁ ଅଧିକ ତୁଷାରପାତ ହେବ ବୋଲି ଡେରାଡୁନ୍ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ମଧ୍ୟ ପଡ଼ିଛି। ଏଠାରେ ତୁଷାରପାତ ହୋଇ ନ ଥିଲେ ବି ଶନିବାର ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।