ଜାତୀୟ ସଙ୍ଗୀତ ଗାନ ବେଳେ ମଞ୍ଚ ଛାଡି ଚାଲିଗଲେ ମହାମହିମ!

ବାଙ୍ଗାଲୋର(ଓଡ଼ିଶା ରିପୋର୍ଟର):  ଜଣେ ଭାରତୀୟ ପାଇଁ ଜାତୀୟ ସଙ୍ଗୀତର ମହତ୍ୱ ସବୁଠୁ ଊର୍ଦ୍ଧ୍ୱରେ। ଏହି ସଙ୍ଗୀତକୁ ଦେଶବାସୀ ଏତେ ସମ୍ନାନ ଦିଅନ୍ତି ଯେ, ଆମ ସମ୍ବିଧାନରେ ଏହାର ଗାରିମା ବଜାଏ ରଖିବାକୁ ଅନେକ ଗୁରୁତ୍ୱ ଦିଆଯାଇଛି। କେଉଁଠି, କେତେବେଳ ଆଉ କେମିତି ଢଙ୍ଗରେ ଏ ସଙ୍ଗୀତ ଗାନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ଶାସନ କର୍ତ୍ତା ତଥା ସାମ୍ବିଧାନିକ ପଦ ପଦବୀରେ ରହିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହାର ମାର୍ଯ୍ୟାଦା ରହିଛି। କିନ୍ତୁ ଆମ ଦେଶର ଜଣେ ମହାମହିମ ରାଜ୍ୟପାଳ ଏହାର ଗାରିମା କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ ହେଉଛି।

ବାସ୍ତବରେ ସେ ଜାଣତରେ ଏମିତି କରିଛନ୍ତି ସେ କଥା ଆମେ କହୁନୁ। କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଛୋଟିଆ ଭୁଲ୍‌ର କଥାଟି ଆପଣଙ୍କୁ ଜଣାଇବାକୁ ଯାଉଛୁ । ଗତ ୧୭ତାରିଖ ସକାଳେ କର୍ଣ୍ଣାଟକ ରାଜଭବନର ଏକ ସମାରୋହରେ ପହଞ୍ଚିଥିଲେ ମହାମହିମ ରାଜ୍ୟପାଳ ବାଜୁଭାଇ ବାଲା। ଏହି ଉତ୍ସବରେ କର୍ଣ୍ଣାଟକ ହାଇକୋର୍ଟ ଜଷ୍ଟିସ୍‌ ରଘଭେନ୍ଦ୍ର ସିଂ ଚହ୍ୱାନ ଶପଥ ଗ୍ରହଣ କରିଥାନ୍ତେ। ହେଲେ ଉତ୍ସବ ଶେଷରେ ଏମିତି କିଛି ଘଟିଲା ଯାହାକୁ ନେଇ ଉପସ୍ଥିତ ନେତୃବର୍ଗ ହତବାକ୍‌ ହୋଇଗଲେ।

ଯାହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ରାଜ୍ୟପାଳ ମହୋଦୟ ଜାତୀୟ ସଙ୍ଗୀତ ଗାନ ସମୟରେ ମଞ୍ଚ ଛାଡି ଚାଲି ଯାଉଥିବାର ଦୃଶ୍ୟ ରହିଛି। ଅବଶ୍ୟ କିଛି ମୂହୁର୍ତ୍ତ ପରେ ଅଙ୍ଗରକ୍ଷୀମାନେ ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ସେ ପୁଣି ମଞ୍ଚ  ଆରୋହଣ କରୁଛନ୍ତି। ଏହି ଭିଡିଓ ଦେଖି ଏ କଥା ବାରି ହୋଇପଉଛି ଯେ, ହୁଏତ ରାଜ୍ୟାପାଳ ମହୋଦୟ ଅନ୍ୟମନସ୍କ ହୋଇ ଏଭଳି ଭୁଲ୍‌ କରି ଦେଇଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ମହାମହିମ କ’ଣ ବିବ୍ରତ ଥିଲେ ? ତା ହେଲେ ତାଙ୍କର ଏ ମନୋଭାବ କ’ଣ ପାଇଁ ?

ସୂଚନାଯୋଗ୍ୟ, କଛି ଦିନ ତଳେ ରାଜ୍ୟରେ ସାଧାରଣ ନିର୍ବାଚନ ସରିଥିବା ବେଳେ କୌଣସି ବି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିଲେ। ହେଲେ ସର୍ବାଧିକ ଜନମତ ହାସଲ କରିଥିବା ବିଜେପିକୁ ସରକାର ଗଢିବାକୁ ଆମନ୍ତ୍ରଣ ଦେଇ ମହାମହିମ ରାଜ୍ୟପାଳ ପାଲଟିଯାଇଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଇତି ମଧ୍ୟରେ ରାଜ୍ୟରେ ବିଜେପି ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେଇ ସାରିଲେଣି। ଏଣେ ରାଜ୍ୟପାଳ ବାଜୁଭାଇଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଚିହ୍ନ ଉଠାଇଥିବା କଂଗ୍ରେସ ସର୍ବୋଚ୍ଚ ନ୍ୟାୟାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇ ସାରିଛି। ଏହି ସନ୍ଧିକ୍ଷଣରେ ଏମିତି  ଭିଡିଓଟିଏ ଭାଇରାଲ ହେବା ନିଶ୍ଚିତ ସଂଯୋଗର ବିଷୟ ବୋଲି ଚର୍ଚ୍ଚା ହେଉଛି।