ହିନ୍ଦୁ ମନ୍ଦିରରେ ଇଫ୍‌ତାର ପାର୍ଟି: ଭାଇଚାରାର ମନ୍ତ୍ର ବାଣ୍ଟୁଛନ୍ତି ମୁସଲମାନ

ଥିରୁଅନନ୍ତପୁରମ (କେରଳ): ଗୋ ହତ୍ୟା ପସଙ୍ଗ ଉଠିଲେ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ଉପରକୁ ଅଙ୍ଗୁଳି ଉଠିଯାଏ। ସମାଜର ତଥାକଥିତ ଗୋ ରକ୍ଷକ ଗୋଷ୍ଠୀ ସେମାନଙ୍କୁ କେତେ ଆକ୍ଷେପ କେତେ ସମାଲୋଚନା କରନ୍ତି। ତଥାପି ଏତେ ନିନ୍ଦା ଅପବାଦ ସତ୍ତ୍ୱେ ଅନେକ ମୁସଲମାନ ଯେ, ହିନ୍ଦୁ ଧର୍ମ ପ୍ରତି ଉଦାରବାଦୀ ଅଛନ୍ତି ତା’ର ଭରପୂର ଉଦାରହଣ ରହିଛି।  ଏବେ ସେମିତି ଏକ ଭାଇଚାରାର ଖବର କେରଳରୁ ଆସିଛି।

ଏକ ହିନ୍ଦୁ ମନ୍ଦିରରେ ଆୟୋଜନ୍ ହୋଇଛି ଇଫତାର ପାର୍ଟି।  ରମଜାନ୍‌ ଅବସରରେ କେରଳର ମାଳାପ୍ପୁରମ୍‌ ଜିଲ୍ଲାର ଶ୍ରୀ ନରସିଂହ ମନ୍ଦିରରେ ଆୟୋଜନ ହୋଇଥିଲା ଏହି କାର୍ଯ୍ୟକ୍ରମ।  ଏହି ଇଫତାର ପାର୍ଟିରେ ହିନ୍ଦୁମାନେ ବି  ସାମିଲ ହୋଇଥିଲେ। ଯାହା ଫଳମୂଳ ଭୋଗ ହୋଇଥିଲା ସମସ୍ତେ ଏକାଠି ଭୋଜନ କରିଥିଲେ। ନା ଥିଲା ଭେଦଭାବର ରଙ୍ଗ ନା ଥିଲା ଘୃଣା ବିଦ୍ୱେଷର ବୈଶମ୍ୟ।  ବରଂ ପରସ୍ପର ମଧ୍ୟରେ ପ୍ରେମ, ସ୍ନେହ, ଆଦର ଆଉ ଭଲ ପାଇବାକୁ ବାଣ୍ଟିଥିଲେ। କେରଳର ମାଳାପ୍ପୁରମ୍‌ ଜିଲ୍ଲାର ଶ୍ରୀ ନରସିଂହ  ମନ୍ଦିରଟି ଅତି ପୁରାତନ। ସମୟକ୍ରମେ ଦୁର୍ବଳ ହୋଇ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଥିଲା।

ପରେ ମନ୍ଦିର କମିଟି ପକ୍ଷରୁ ଏହାର ପୁନଃରୁଦ୍ଧାର କରାଯାଥିଲା।  ଆଉ ଏଥିରେ  ପୂର୍ଣ୍ଣ ସହଯୋଗ କରିଥିଲେ  ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ। ଉଭୟ ହିନ୍ଦୁ ମୁସଲମାନଙ୍କ ଆର୍ଥିକ ସହଯୋଗରେ ମନ୍ଦିରର ମରାମତି ହୋଇଥିଲା।  ମନ୍ଦିର କମିଟି ସମ୍ପାଦକ ପିଟି ମୋହାନନ୍‌ଙ୍କ କହିବା ଅନୁଯାୟୀ ମରାମତି ଲାଗି ଖର୍ଚ୍ଚ ହୋଥିବା ସିଂହଭାଗ ମୁସଲମାନ୍‌ମାନେ ବହନ କରିଛନ୍ତ। ସେମାନେ ଏଥିପାଇଁ  ୨୦ ଲକ୍ଷ ଟଙ୍କା ଦେଇଛନ୍ତି। ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ପୂଜା ପାଉଛନ୍ତି। ଆଉ ଏଠି ସବୁ ପର୍ବପର୍ବାଣିରେ ମୁସଲମାନ୍‌ମାନେ ମଧ୍ୟ ସାମିଲ ହେଉଛନ୍ତି। ଖାଲିସେତିକି ନୁହେଁ ଉଭୟଙ୍କ ବୁଝାମଣାରେ ଏଠି ରମଜାନ ମଧ୍ୟ ପାଳନ ହେଉଛି।

ଗୋ ମାଂସ ଭକ୍ଷଣକୁ ନେଇ ଯଦି କୌଣସି ରାଜ୍ୟ ଅଧିକ ଚର୍ଚ୍ଚାକୁ ଆସେ ସିଏ ହେଉଛି କେରଳ। ଗୋ ହତ୍ୟାର ପ୍ରତିବାଦକୁ ବିରୋଧ କରି  ଗତ କିଛି ଦିନ ତଳେ ଏହି କେରଳର କେତେକ କଂଗ୍ରେସ କର୍ମୀ ସର୍ବସମ୍ମୁଖରେ ବାଛୁରୀ ମାଂସ ଭୋଜି  କରିଥିଲେ। ଯାହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ହେଲେ ଏଠି ମାଳାପ୍ପୁରମ ଜିଲ୍ଲାରେ ଏମିତି କିଛି ମୁସଲମାନ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ଅନନ୍ୟ। ଯିଏ ହିନ୍ଦୁ ଦେବାଦେବୀଙ୍କୁ ଶ୍ରଦ୍ଧା କରନ୍ତି, ସମ୍ମାନ ଦିଅନ୍ତି ଆଉ ଗୋ-ମାତାକୁ ବି ପୂଜା କରନ୍ତି । ହେଲେ ସେମାନଙ୍କୁ କେତେଜଣ ଚିହ୍ନନ୍ତି।