ପରଲୋକରେ ବରିଷ୍ଠ ବାମପନ୍ଥୀ ନେତା ଏକେ ରାୟ

ପାଟନା: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଏକେ (ଅରୁଣ କୁମାର) ରାୟ ୮୫ ବର୍ଷ ବୟସରେ ଧାନବାଦଠାରେ ମୃତ୍ୟୁବରଣ କରିଛନ୍ତି। ସେ ମାର୍କ୍ସିଷ୍ଟ କୋଅର୍ଡିନେସନ କମିଟି ପ୍ରତିଷ୍ଠା କରିଥିଲେ ଏବଂ ବିହାରରୁ ଅଲଗା ହୋଇ ସ୍ୱତନ୍ତ୍ର ଝାରଖଣ୍ଡ ଗଠନ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଆଜୀବନ ଅବିବାହିତ ଥିଲେ।

ଧାନବାଦ ବିହାରରେ ଥିବାବେଳେ ଶ୍ରୀ ରାୟ ୧୯୭୭,୧୯୮୦ ଏବଂ ୧୯୮୯ ମସିହାରେ ସେଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏତଦ୍‌ବ୍ୟତୀତ ୧୯୬୭, ୧୯୬୯ ଏବଂ ୧୯୭୨ ମସିହାରେ ସେ ସିନ୍ଦ୍ରି ଆସନରୁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ ମସିହାରେ ଏହି ବରିଷ୍ଠ ବାମପନ୍ଥୀ ନେତା ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ୍‌ ଏବଂ ପୂର୍ବତନ ସାଂସଦ ବିନୋଦ ବିହାରୀ ମାହତୋଙ୍କ ସହ ମିଶି ସ୍ୱତନ୍ତ୍ର ଝାରଖଣ୍ଡ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ୨୦୦୦ ମସିହା ନଭେମ୍ବର ୧୫ରେ ଝାରଖଣ୍ଡ ବିହାରଠାରୁ ଅଲଗା ହୋଇଥିଲା।

ବର୍ତ୍ତମାନ ବାଂଲାଦେଶରେ ଥିବା ସପୁରା ଗାଁରେ ଜନ୍ମିତ ରାୟ ପରେ କ୍ୟାଲକାଟା ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି ପାସ କରିଥିଲେ। ଏହାପରେ ବିହାରର ସିନ୍ଦ୍ରିଠାରେ ପ୍ରୋଜେକ୍ଟସ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଆ (ପିଡିଆଇଏଲ୍‌)ରେ ଯୋଗ ଦେଇଥିଲେ। ଏଠାରେ ସେ ଟ୍ରେଡ୍‌ ୟୁନିଅନ୍‌ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଆନ୍ଦୋଳନରେ ଭାଗ ନେଇ ତାଙ୍କର ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ସେ ସିପିଏମ୍‌ରେ ଯୋଗ ଦେଇଥିଲେ ମଧ୍ୟ ବୈଚାରିକ ମତଭେଦ କାରଣରୁ ପରେ ଏହି ଦଳ ଛାଡ଼ି ମାର୍କ୍ସିଷ୍ଟ କୋଅର୍ଡିନେସନ କମିଟି (ଏମସିସି) ଗଠନ କରିଥିଲେ।