ଏହି କାରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସତର୍କ କରାଇଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ଉଭୟ ଲୋକସଭା ଓ ରାଜ୍ୟସଭାରେ ପୂର୍ବ ନିର୍ଦ୍ଧାରିତ ରୋଷ୍ଟର କାର୍ଯ୍ୟସୂଚୀ ସତ୍ତ୍ୱେ କେତେକ ମନ୍ତ୍ରୀ ଗୃହରେ ଉପସ୍ଥିତ ରହୁନାହାନ୍ତି। ଏଭଳି ମନ୍ତ୍ରୀମାନଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଉଛି।

ଏବେ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆପତ୍ତି ଉଠାଇଛନ୍ତି। ଆଜି ଗୃହ କାର୍ଯ୍ୟ ଚାଲିଥିବା ବେଳେ ପଶୁ, ମତ୍ସ୍ୟ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନଙ୍କ ଉପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲିୟାନ ଗୃହରେ ଉପସ୍ଥିତ ରହୁ ନଥିବାରୁ ଭେଙ୍କିଆ ନାଇଡୁ ତାଙ୍କୁ ସତର୍କ କରାଇଛନ୍ତି।

ନାଇଡୁ କହିଛନ୍ତି, “ମନ୍ତ୍ରୀଜୀ ଆପଣ ବୁଧବାର ଦିନ ଅନୁପସ୍ଥିତ ଥିଲେ। ଗୃହ କାର୍ଯ୍ୟର ଏଜେଣ୍ଡାରେ ଆପଣଙ୍କ ନାଁ ରହିଥିଲା। କିନ୍ତୁ ଆପଣଙ୍କ ନାଁ ଡକାଯିବା ବେଳେ ଆପଣ ଅନୁପସ୍ଥିତ ରହିଥିଲେ। ଦୟା କରି ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଭବିଷ୍ୟତରେ ଏଭଳି ଭୁଲ ଯେମିତି ଆପଣ ନ କରନ୍ତି।”

ବାଲିୟାନ ନିଜ ଦୋଷ ସ୍ୱୀକାର କରିବା ସହ ଭବିଷ୍ୟତରେ ଏଭଳି ଭୁଲ କରିବେ ନାହିଁ ବୋଲି କହିଛନ୍ତି।