ଅଭିଯୋଗ କରିବାକୁ ଆସିଥିବା ନାବାଳିକାକୁ ପୁଲିସ୍‌ର ନିର୍ଯାତନା

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟ ଉତ୍ତର ପ୍ରଦେଶରେ ପୁଲିସ୍‌ବାବୁଙ୍କ ଦବଙ୍ଗଗିରିର ଆଉ ଏକ ନମୁନା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ନାବାଳିକା ତାଙ୍କ ସହ ହୋଇଥିବା ଅସଦାଚରଣ ସମ୍ପର୍କରେ ଅଭିଯୋଗ କରିବାକୁ କାନପୁର ପୁଲିସ୍‌ ଷ୍ଟେସନ ଯାଇଥିଲେ। ହେଲେ ସେଠାରେ ଥିବା ହେଡ୍‌ କନଷ୍ଟେବଲ ତାର ବାବୁ ତାଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଢଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ଥାନାରେ ଥିବା ହେଡ୍‌ କନଷ୍ଟେବଲ ଏଫ୍‌ଆଇଆର ରଖିବାକୁ ପ୍ରଥମେ ମନା କରିଦେଇଥିଲେ। ଏହାପରେ ସେ ନାବାଳିକାଙ୍କ ସହ ଅତ୍ୟନ୍ତ ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିଲେ। ନାବାଳିକାଙ୍କ ଭାଇ ମୋବାଇଲ୍‌ ଯୋଗେ ଏହାର ଶୁଟିଂ ମଧ୍ୟ କରିଥିଲେ। କନଷ୍ଟେବଲ ଜଣଙ୍କ ବାରମ୍ବାର କହିଥିଲେ, “କ’ଣ ପାଇଁ ତମେ ରିଙ୍ଗ ପିନ୍ଧିଛ। ତମେ ପାଠ ପଢ଼ୁନାହଁ। କ’ଣ ପାଇଁ ତୁମେ ଏତେ ଗହଣାପିନ୍ଧିଛ? ଏହି ଅଳଙ୍କାର କହୁଛି, ତୁମେ କ’ଣ।”

ପରିବାର ଲୋକ ଏଥିରେ ହସ୍ତକ୍ଷେପ କରିବାରୁ ତାର ବାବୁ ସେମାନଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ଏହି ଭିଡିଓକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟ୍ୱିଟ କରି ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଦେଖନ୍ତୁ ଭିଡିଓ