ଆସନ୍ତାକାଲି ପଞ୍ଜାବ ଓ ଗୋଆରେ ଭୋଟ୍‌

ନୂଆଦିଲ୍ଲୀ: ପଞ୍ଜାବ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଓ ୪୦ ଆସନ ବିଣିଷ୍ଟ ଗୋଆ ବିଧାନସଭା ପାଇଁ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଏବେ ଏହି ଦୁଇଟି ରାଜ୍ୟରେ ବିଜେପି କ୍ଷମତା ରହିଛି। ପଞ୍ଜାବରେ ଦଳ ଶିରୋମଣି ଅକାଳି ଦଳ (ସାଡ୍‌) ସହ ମିଳିତ ଭାବେ କ୍ଷମତା ରହିଛି। ବିଜେପି ପକ୍ଷରୁ ଦୁଇ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ମୁଖ୍ୟ ଅମିତ ଶାହା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଆଉ କିଛି ମନ୍ତ୍ରୀ ନିର୍ବାଚନ ପ୍ରଚାର କରିଥିଲେ। ପଞ୍ଜାବରେ ପ୍ରଧାନମନ୍ତ୍ରୀ ଦୁଇଟି ରାଲି କରିଥିଲେ। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରିଥିଲେ। ଏଠାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ୭୪ ବର୍ଷୀୟ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ।

ଉଭୟ କଂଗ୍ରେସ ଓ ବିଜେପି ବିରୋଧୀ ଭାବେ ଜଣାଶୁଣା ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପଞ୍ଜାବ ଓ ଗୋଆରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଛି। ଦଳ କଡ଼ା ଟକ୍କର ଦେଉଥିବା ଜଣାପଡ଼ିଛି। ପଞ୍ଜାବରେ ଆପ୍ ସମସ୍ତ ୧୧୭ଟି ଆସନରେ ପ୍ରାର୍ଥୀ ଦେଇଛି। ୨୦୧୪ ଲୋକସଭା ନିର୍ବାଚନରେ ଦଳ ଏଠାରୁ ଚାରିଟି ଆସନରେ ବିଜୟୀ ହୋଇଥିଲା।

ଗୋଆରେ ବିଜେପି କ୍ଷମତାସୀନ ଅଛି। ତେବେ ଏଠାରେ ଦଳ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରେସକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନାହିଁ। କୁହାଯାଉଛି ନିର୍ବାଚନ ପରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପୁଣି ଗୋଆ ଫେରିବେ ଓ ମୁଖ୍ୟମନ୍ତ୍ରୀ ହେବେ।