ଗାଭାସ୍କରଙ୍କୁ କ’ଣ କହିଲେ ୯୦୦୦ କୋଟି ଟଙ୍କାର ଚୂନ ଲଗାଇ ବ୍ରିଟେନ୍‌ରେ ଲୁଚି ଥିବା ବିଜୟ ମାଲ୍ୟା? ଚର୍ଚ୍ଚାରେ ଦୁହିଁଙ୍କ ମୁଲାକାତ

ବର୍ମିଂହାମ: ଗତକାଲି ବର୍ମିଂହାମରେ ଅନୁଷ୍ଠିତ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍‌କୁ ଶିଳ୍ପପତି ତଥା ୯୦୦୦ କୋଟିର ଚୂନ ଲଗାଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟା ଦର୍ଶକଙ୍କ ମଧ୍ୟରେ ବସି ଆରମରେ ଦେଖୁଥିଲେ। ସେଇ ପୂର୍ବ ରୂପ ରଙ୍ଗରେ ତାଙ୍କୁ ଦେଖିବାକୁ ମିଳିଥିଲା। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଗତକାଲି ଠାରୁ ଯେତିକି ଚର୍ଚ୍ଚା ହେଉଛି ତାଙ୍କର ଏହି ଫଟୋ ଭାଇରାଲ୍ ହେବା ପରେ ସେତିକି ଚର୍ଚ୍ଚା ହେଉଛି। ତାଙ୍କର ଏହି ଫଟୋ ଭାରତର ସୁରକ୍ଷା ଏଜେନ୍ସୀଗୁଡ଼ିକୁ ଚିଡ଼ାଇବା ସଦୃଶ ହୋଇଛି। ତେବେ ୟା ଭିତରେ ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ମ୍ୟାଚ୍ ଅବସରରେ ବିଜୟ ମାଲ୍ୟା ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସହ ବାର୍ତ୍ତାଳପ କରୁଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ଜଣାପଡ଼ିନି। ତେବେ ଫଟୋରେ ଦେଖିବାକୁ ମିଳିଛି ମାଲ୍ୟା ନିଜ ମୋବାଇଲ୍ ଫୋନ୍‌ରେ କିଛି ଦେଖାଉଥିଲେ ଗାଭାସ୍କରଙ୍କୁ।

ସୂଚନାଯୋଗ୍ୟ, ବିଜୟ ମାଲ୍ୟାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତାଙ୍କ ବିରୁଦ୍ଧରେ କୋର୍ଟରୁ ଅନେକ ଥର ୱାରେଣ୍ଟ ଜାରି ହୋଇସାରିଛି। କିନ୍ତୁ ସେ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ କବ୍‌ଜାକୁ ଆସିପାରି ନାହାନ୍ତି। ସେ ଭାରତରୁ ବହୁ ଦୂର ବ୍ରିଟେନ୍‌ରେ ଶରଣ ନେଇଛନ୍ତି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌