ପୁଣି କ୍ୟାମେରାରେ କଏଦ ହେଲେ ଫେରାର ବିଜୟ ମାଲ୍ୟା; ବୁଲି ବୁଲି କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି

ନୂଆଦିଲ୍ଲୀ: ୯୦୦୦ କୋଟି ଟଙ୍କାର ଚୂନ ଲଗାଇ ଦେଶରୁ ଫେରାର ହୋଇ ଇଂଲଣ୍ଡରେ ଲୁଚି ଥିବା ଶିଳ୍ପପତି ବିଜୟ ମାଲ୍ୟା ଏବେ ସେଠାରେ ବୁଲି ବୁଲି ଆଇସିସି ଚାମ୍ପିଅନ୍ସଟ୍ରଫିର ମ୍ୟାଚ୍ ଦେଖୁଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ ଦେଖୁଥିବା ବେଳେ ସେ କ୍ୟାମେରାରେ କଏଦ ହୋଇଥିଲେ। ଗତକାଲି ଭାରତ-ଶ୍ରୀଲଙ୍କା ମ୍ୟାଚ୍ ମଧ୍ୟ ଦେଖିବାକୁ ଆସିଥିଲେ। ସେତେବେଳେ ଏକ ଜାତୀୟ ଗଣମାଧ୍ୟମର ପ୍ରତିନିଧି ତାଙ୍କୁ ପଚାରିଥିଲେ ସେ ଭାରତ ଫେରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ ଯେ ଏ କେମିତିକା ପ୍ରଶ୍ନ ପଚାରୁଛ? କ୍ରିକେଟ୍ ସଂପର୍କିତ ଅବା ଅନ୍ୟ କୌଣସି ପ୍ରଶ୍ନ ପଚାରିଲେ ଉତ୍ତର ଦେବେ ବୋଲି କହି ଆଗକୁ ବଢ଼ିଥିଲେ।

ଭାରତ-ପାକିସ୍ତାନ ମ୍ୟାଚ୍ ଅବସରରେ ତାଙ୍କୁ ଗାଭାସ୍କରଙ୍କ ସହ ଦେଖିବାକୁ ମିଳିଥିଲା। ଏପରିକି ସେ ବିରାଟ କୋହଲିଙ୍କ ପାର୍ଟିକୁ ବି ଆସିଥିଲେ। କିନ୍ତୁ ଖେଳାଳିମାନେ ତାଙ୍କଠାରୁ ଦୂରେଇ ରହିଥିଲେ।

୯୦୦୦ କୋଟି ଟଙ୍କାର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ତାଙ୍କ ବିରୁଦ୍ଧରେ ଅନେକ ଥର କୋର୍ଟ ୱାରେଣ୍ଟ ବାହାରି ସାରିଛି।