‘ରାଫେଲ’ ପାଇଁ ହଟହଟା ଏହି ଗାଁର ଲୋକେ

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ଦେଶ ଉଠୁଛି ପଡ଼ୁଛି। ସୁପ୍ରିମ୍‌କୋର୍ଟଠାରୁ ସଂସଦ, ବିଧାନସଭାରୁ ଚା ଖଟି ଯାଏ ସବୁଠି କେନ୍ଦ୍ର ସରକାରଙ୍କ କଥା ଆସିଲେ ଏହି ଶବ୍ଦ ଏବଂ ପ୍ରସଙ୍ଗଟି ଆପେ ଚାଲିଆସେ। କିନ୍ତୁ ଛତିଶଗଡ଼ର ଏମିତି ଏକ ଗାଁ ରହିଛି, ଯେଉଁଠି ‘ରାଫେଲ’ ଶବ୍ଦ ପରିହାସର କାରଣ ସାଜିଛି। ଏହି ଗାଁର ନାଁ ‘ରାଫେଲ’ ହୋଇଥିବାରୁ ପଡ଼ୋଶୀ ଗାଁ ଲୋକମାନଙ୍କର ଥଟ୍ଟା ପରିହାସର ଶିକାର ପାଲଟିଛନ୍ତି ସେମାନେ। ଆଉ ଏହାର ମାତ୍ରା ଏତେ ବଢ଼ିଯାଇଛି ଯେ, ସେମାନେ ଏବେ ଗାଁର ନାଁ ବଦଳାଇବାକୁ ଅଡ଼ିବସିଛନ୍ତି।

୨୦୦ ପରିବାରକୁ ନେଇ ଏହି ଗାଁ। ଛତିଶଗଡ଼ର ମହାସମୁନ୍ଦ ନିର୍ବାଚନମଣ୍ଡଳୀର ଏହି ଗାଁରେ ଆସନ୍ତା ୧୮ ତାରିଖରେ ନିର୍ବାଚନ ହେବ। ଏହି ଗାଁରୁ ସବୁଠାରୁ ବୟସଙ୍କ ବ୍ୟକ୍ତି ଧରମ୍‌ ସିଂହ କହିଛନ୍ତି, “ଅନ୍ୟ ଗାଁର ଲୋକେ ଆମର ମଜାକ୍ ଉଡ଼ାଉଛନ୍ତି। ଏପରିକି ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଗାଁର ନାଁ ବଦଳାଇବାକୁ ଅନୁରୋଧ କରିଥାଆନ୍ତୁ, କିନ୍ତୁ ତାଙ୍କୁ ଭେଟିପାରିଲୁନି।” ସେ ଆହୁରି ମଧ୍ୟ କହିଥିଲେ, କେବଳ ଏଇ ରାଫେଲ ବିମାନ ପାଇଁ ଆମ ଗାଁକୁ ନେଇ ନକାରାତ୍ମକ ଚର୍ଚ୍ଚା ହେଉଛି, ନହେଲେ ଆମକୁ କେହି ପଚାରନ୍ତିନି। ଏପରିକି ରାଜ୍ୟ ବାହାରେ କେହି ଆମ ଗାଁକୁ ଜାଣନ୍ତିନି।

ସେ କହିବା ଅନୁଯାୟୀ, ଏହି ଗାଁରେ ପାଣି ଏବଂ ପରିମଳ ପରି ମୌଳିକ ସୁବିଧା ନାହିଁ। ଜଳସେଚନ ସୁବିଧା ନଥିବାରୁ ଗାଁଲୋକେ ବର୍ଷାକୁ ଅନାଇ ରହିଥାନ୍ତି। ସେ କହିଥିଲେ, ରାଜନେତା ବିଭିନ୍ନ ଗାଁର ଦାୟିତ୍ୱ ନେଉଛନ୍ତି। କିନ୍ତୁ କେହି ମଧ୍ୟ ଆମ ଗାଁରେ ପାଦ ପକାନ୍ତିନି। ଗତ କିଛି ଦିନ ତଳେ ବିଜେପିର କିଛି କର୍ମୀ ଆସିଥିଲେ। ଯିଏ ବି ସରକାରକୁ ଆସୁଛି ଆମ ଗାଁ ନାଁ ବଦଳାଇବାକୁ ଆମେ ଅନୁରୋଧ କରିବୁ।

ସେ ରାଫେଲ୍‌ ନାଁ ପଛର ରହସ୍ୟ ଜାଣିନାହାନ୍ତି ଏବଂ ଛତିଶଗଡ଼ ଗଠନ ଅର୍ଥାତ ୨୦୦୦ ମସିହା ପୂର୍ବରୁ ଛତିଶଗଡ଼ କ’ଣ ଜାଣିନଥିଲେ ବୋଲି କହିଛନ୍ତି। ବର୍ତ୍ତମାନ ବିଜେପିର ଚନ୍ଦୁଲାଲ ସାହୁ ଏହି ସ୍ଥାନରୁ ବିଧାୟକ ଅଛନ୍ତି। ସୂଚନାଯୋଗ୍ୟ ଯେ, ରାଫେଲ୍‌ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଟାର୍ଗେଟ୍‌ କରି ଆସିଛନ୍ତି। ଏପରିକି ସେ ରିଲାଏନ୍ସର ଅନୀଲ ଅମ୍ବାନୀଙ୍କୁ ଆର୍ଥିକ ଫାଇଦା ଦେଇଥିବା ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାରମ୍ବାର ଅଭିଯୋଗ ଆଣି କହୁଛନ୍ତି ‘ଚୌକିଦାର ଚୋର ହୈ’।