ବିନୋଦ କାମ୍ବଲି ଓ ତାଙ୍କ ପତ୍ନୀଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଓ ତାଙ୍କ ପତ୍ନୀଙ୍କ ନାଁରେ ମାରପିଟ୍‌ କରିଥିବା ଅଭିଯୋଗ। ଏନେଇ ୫୮ ବର୍ଷିୟ ରାଜେନ୍ଦ୍ର କୁମାର ତିୱାରୀ ନାମକ ଜଣେ ବ୍ୟକ୍ତି ବାଙ୍ଗୁର ନଗର ଥାନାରେ ଆଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କାମ୍ବଲି ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିବେ ବୋଲି କହିଛନ୍ତି। ରବିବାର ସନ୍ଧ୍ୟାରେ ମୁମ୍ବାଇର ଏକ ସପିଂ ମଲ୍‌ରେ ଏହି ଘଟଣା ଘଟିଛି।
ରାଜେନ୍ଦ୍ରଙ୍କ ପୁଅ ଅଙ୍କୁରଙ୍କ କହିବା ଆନୁସାରେ, “ସପିଂ ମଲ୍‌ରେ ପ୍ରବଳ ଭିଡ଼ ହୋଇଥିଲା। ବାପା ମୋ ଝିଅକୁ ଗେମିଂ ଜୋନ୍‌ରୁ ଫୁଡ୍ କୋର୍ଟକୁ ଆଣୁଥିଲେ। ଏତିକି ବେଳେ ଭିଡ଼ରେ ତାଙ୍କ ହାତ କାମ୍ବଲିଙ୍କ ପତ୍ନୀଙ୍କ ହାତରେ ବାଜିଥିଲା। ଏହାପରେ ବାପାଙ୍କ ମୁହଁକୁ ଏକ ମୁଥା ମାରିଥିଲେ। ଏହା ଏତେ ଶୀଘ୍ର ଘଟିଗଲା ଯେ, ବାପା କିଛି ଜାଣିପାରିଲେ ନାହିଁ।”

ଏହି ଘଟଣାର ସମାଧାନ ପାଇଁ ଅଙ୍କୁର ବିନୋଦ କାମ୍ବଲିଙ୍କ ନିକଟକୁ ଯାଇଥିଲେ ମଧ୍ୟ କାମ୍ବଲି ତାଙ୍କୁ ଧକ୍କା ଦେବା ସହିତ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି। କାମ୍ବଲିଙ୍କ ପତ୍ନୀ ମଧ୍ୟ ତାଙ୍କୁ ପିଟିବାକୁ ଜୋତା ଉଠାଇଥିବା ସେ କହିଛନ୍ତି।
ଅଭିଯୋଗ ମିଳିବା ପରେ ପୋଲିସ ଧାରା ୫୦୪ (ଶାନ୍ତି ଭଙ୍ଗ କରିବା ଓ ଜାଣିଶୁଣି କାହାକୁ ଅପମାନ କରିବା) ଓ ୩୨୩ (ହିଂସାରେ କାହାକୁ କ୍ଷତି ପହଞ୍ଚାଇବା ଓ ଦଣ୍ଡିତ କରିବା) ଧାରା ଲଗାଯାଇଛି।