ମାମଲାରେ ଛନ୍ଦି ହୋଇ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେଣି ପ୍ରିୟା, କାଲି ହେବ ଶୁଣାଣି

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ମାତ୍ର ୨୭ ସେକେଣ୍ଡର ଭିଡ଼ିଓ ଆଉ ଟିକେ ନଖରାମି । ଦୁଷ୍ଟ ଅନ୍ଦାଜରେ ଆଖିମାରି ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଘେଇଲା କଲେ। ଆଉ ଏଇ ଆଖିମରା ଆଜି ତାଙ୍କୁ କେଉଁଠୁ କେଉଁଠିକି ପହଞ୍ଚାଇ ଦେଲା ଆପଣ ବୁଝିପାରୁଥିବେ। ଆମେ କହୁଛୁ ମାତ୍ର ଅଳ୍ପ ସମୟରେ ଇନ୍‌ଷ୍ଟ୍ରାଗ୍ରାମ୍‌ର ୩ୟ ସବୁଠାରୁ ଲୋକପ୍ରିୟ ସେଲିବ୍ରେଟୀ ବନିଥିବା ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ କଥା। ହେଲେ କ’ଣ ହେବ, ଏତେ ଲୋକପ୍ରିୟ ହେଲେ ବୋଲି ଏବେ ବିବାଦରେ ଛନ୍ଦି ହୋଇପଡିଲେଣି ପ୍ରିୟା। ଏମିତିକି ତାଙ୍କୁ ଏବେ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଛି। ଜାଣିଛନ୍ତି ଘଟଣାଟି କ’ଣ ?

ବାସ୍ତବରେ ପ୍ରିୟାଙ୍କ ଅଭିନୀତ ‘ଉରୁ ଉଦାର ଲଭ୍‌’ ଚଳଚ୍ଚିତ୍ର ଏହି ‘ନୈନ ମଟକ୍କା’ ଦୃଶ୍ୟରେ ସଂଯୋଜିତ ଗୀତକୁ ନେଇ ଉଠିଥିଲା ବିବାଦ। ଯେଉଁଥିପାଇଁ ପ୍ରିୟାଙ୍କୁ ଗିରଫ କରାଯାଉ ବୋଲି ମାମଲା ରୁଜୁ ହୋଇଥିଲା। ଏହାକୁ ବିରୋଧ କରି ସେ ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଯାହାର ଶୁଣାଣି ବୁଧବାର ହେବ।

ସେ କୋର୍ଟରେ ଦାୟର କରିଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶଇଛନ୍ତି ଯେ, ଚଳଚ୍ଚିତ୍ରର ଯେଉଁ ଗୀତକୁ ନେଇ ବିବାଦ ଉଠିଛି ସେଥିରେ ସେମିତି ବିବାଦ ହେଲା ଭଲି କିଛି ନାହିଁ। କେରଳର ମୁସଲମାନ ସମ୍ପ୍ରଦାୟର ଲୋକେ ଏହି ଗୀତକୁ ଅତି ଆନନ୍ଦିତ ଭାବେ ଗାନ କରିଥାନ୍ତି। ଏପରିକି ଏହାର ରଚୟିତା ମଧ୍ୟ ଜଣେ ମୁସଲମାନ୍‌। ପ୍ରିୟା ଲଖିଛନ୍ତି ଯେ, ଏହାକୁ ମହାରାଷ୍ଟ୍ର ଓ ତେଲଙ୍ଗାନାରେ ଭୁଲ୍‌ ଭାବେ ଚିତ୍ରତ କରାଯାଉଥିବାରୁ ଏଭଳି ଅଯଥା ବିବାଦ ସୃଷ୍ଟି ହୋଇଛି।