ଅଭଦ୍ର ଶ୍ରଦ୍ଧା, ବିସର୍ଜନ ବେଳେ ଦେବୀ ପ୍ରତିମାକୁ ଚୁମ୍ବନ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧାର୍ମିକ ଭାବନାକୁ କୁଠାରାଘାତ କରିଛି ଏକ ଫେସ୍‌ବୁକ୍‌ ପୋଷ୍ଟ। କେବଳ ହିନ୍ଦୁ ନୁହେଁ ବରଂ ଏହି ପୋଷ୍ଟ ଦେଖିବା ପରେ ସୁସ୍ଥ ମଣିଷଟିଏ ମଧ୍ୟ ଛି ବୋଲି କହିବ। ନିକଟରେ ଅନୁଷ୍ଠିତ ଏକ ଧାର୍ମିକ ପର୍ବରେ ଜ୍ଞାନର ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସାରା ଦେଶରେ ହର୍ଷ ଉଲ୍ଲାସର ସହ ପୂଜା କରାଯାଇଛି। ପାରମ୍ପରିକ କ୍ରମେ ଦେବୀଙ୍କୁ ବିସର୍ଜନ ସମୟରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେବୀଙ୍କ ମୃଣ୍ମୟୀ ପ୍ରତିମାକୁ ଜଣେ ଯୁବକ ଚୁମ୍ବନ ଦେଉଥିବାର ଏକ ଫଟୋ ପୋଷ୍ଟ ହୋଇଛି। ଯାହାର କ୍ୟାପସନ୍‌ରେ ଲେଖାଯାଇଛି “ମେରା ବୁରି ବହତ ସୁନ୍ଦର ହେ ଦି”।

ପପୁ ତାଇ ନାମକ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏହି ଫଟୋ ପୋଷ୍ଟ ହୋଇଛି। ଯାହାକୁ ଦେଖି ଲାଗୁଛି ହୁଏତ ଯୁବକ ଜଣକ ଯୌନ ବିକାରଗ୍ରସ୍ତ ନେଚତ୍‌ ସାମ୍ପ୍ରଦାୟିକ ହିଂସାକୁ ଉସୁକାଇବାକୁ ସେ ଏଭଳି ହୀନ ପ୍ରଚେଷ୍ଟା କରିଛନ୍ତି। ଆକାଉଣ୍ଟଟି ଫେକ୍‌ ହୋଇଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏଣେ ଖବର ଭାଇରାଲ ହେବା ପରେ ଉକ୍ତ ଆକାଉଣ୍ଟକୁ ସର୍ଚ୍ଚ କରାଯାଇଥିଲେ ମଧ୍ୟ ଫଟୋଟି ଆଉ ମିଳୁ ନାହିଁ।

ସୂଚନାଯୋଗ୍ୟ, ଦେବଦେବୀଙ୍କ  ଉପସ୍ଥିତିକୁ ଅନୁଭବ କରିବାକୁ ଆମେ ଠାକୁରଙ୍କ ପ୍ରତିମା ଗଢି ପୂଜା କରିଥାଉ। ଜୀବନ୍ତ ବ୍ୟକ୍ତିଙ୍କ ଅପେକ୍ଷା ଏହି ନିର୍ଜିବ ମୂର୍ତ୍ତିଙ୍କୁ ଢେର ସମ୍ମାନ ଦେଇଥାଉ।  ଏଣୁ ଏଭଳି ହୀନ ଉଦ୍ୟମ କରିଥିବା ଯୁବକଙ୍କ ଯେତେ ନିନ୍ଦିଲେ ବି କମ୍‌ ହେବ। ଏପରିକି ତାଙ୍କପ୍ରତି ଦଣ୍ଡବିଧାନର ବ୍ୟବସ୍ଥା କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି। ଯୁବକ ଜଣଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଏହି ପୋଷ୍ଟଟି ଆସାମ ଅଞ୍ଚଳରୁ ହୋଇଥିବା ଚର୍ଚ୍ଚା ହେଉଛି।