ମହଙ୍ଗା ପଡ଼ିଲା ଭିଡିଓ ସୁଟ୍‌ : ବିରାଟ ଓ ଅନୁଷ୍କାଙ୍କୁ ଗାଳିଦେଲେ ମା’ପୁଅ, କହିଲେ ଶିଖିନାହାନ୍ତି ସଂସ୍କାର

ନୂଆଦିଲ୍ଲୀ: ଗାଳି ଖାଇଲେ ବିରାଟ ଓ ଅନୁଷ୍କା। ମା’ ପୁଅ ମିଶି ଖୁବ୍‌ ବର୍ଷିଲେ। ତେବେ ବିରାଟ ଓ ଅନୁଷ୍କା ଏମିତି କ’ଣ କଲେ ଯେ,  ସେମାନଙ୍କୁ ଗାଳିଖାଇବାକୁ ପଡ଼ିଲା । ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାକ୍ରମ। କିଛିଦିନ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅନୁଷ୍କା ତାଙ୍କ କାରରେ ଯାଉଥିଲେ। ଏହି ସମୟରେ ତାଙ୍କ ପାଖ ଦେଇ ଆଉ ଏକ୍‌ କାର ଯାଉଥିଲା। କାରରେ ଜଣେ ଯୁବକ ଗୋଟିଏ ବୋତଲ ବାହାରକୁ ଫୋପାଡ଼ୁ ଥିବା ବେଳେ ଅନୁଷ୍କାଙ୍କ ନଜରରେ ପଡ଼ିଥିଲା। ସଙ୍ଗେ ସଙ୍ଗେ ଅନୁଷ୍କା ସମ୍ପୃକ୍ତ ଯୁବକଙ୍କୁ ଗାଳି କରିଥିଲେ। ସେହି ଯୁବକ ଜଣକ ହେଉଛନ୍ତି ଅରହାନ ସିଂହ । ବୋତଲଟିକୁ ବାହାରେ ଫୋପପାଡ଼ି କାହିଁକି ଅଳିଆ କରୁଛ ବୋଲି ପ୍ରଶ୍ନ କରିଥିଲେ।

ଏହି ସମୟରେ କାରରେ ଥିବା ବିରାଟ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଭିଡିଓଟିକୁ  ସେ ଟ୍ୱିଟରରେ ପୋଷ୍ଟ କରିଥିଲେ । ବିରାଟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ ଯେ, ରାସ୍ତାରେ ଅଳିଆ ପକାନ୍ତୁ ନାହିଁ । କାହିଁକି ଆପଣ ରାସ୍ତାରେ ଅଳିଆ ପକାଉଛନ୍ତି ? ପ୍ଲିଜ୍‌ ବି କେୟାର ଫୁଲ୍‌ । ଡଷ୍ଟବିନ୍‌ ବ୍ୟବହାର କରନ୍ତୁ । ସେହିପରି ଭିଡିଓରେ ବିରାଟ କହୁଛନ୍ତି ଯେ, ଏହି ବ୍ୟକ୍ତିଙ୍କୁ ଦେଖନ୍ତୁ ଯିଏ ରାସ୍ତାରେ ଅଳିଆ ଫିଙ୍ଗି ନିଜକୁ ଠିକ୍‌ ବୋଲି କହୁଛନ୍ତି । ଆପଣ ଦାମୀ କାର୍‌ରେ ଯିବାଆସିବା କରୁଛନ୍ତି ଏବଂ ନିଜର ବୁଦ୍ଧିକୁ ଘରେ ରଖି ଆସିଛନ୍ତି । କ’ଣ ଏହି ଲୋକ ଆମ ଦେଶକୁ ସଫା ରଖିବେ । ଯଦି ଆପଣ ଏପରି ଭୁଲ୍‌ କରୁଥିବା ଲୋକଙ୍କୁ ଦେଖୁଛନ୍ତି, ତେବେ ତାଙ୍କୁ ରୋକନ୍ତୁ ଏବଂ ସର୍ତକ କରାନ୍ତୁ ବୋଲି ବିରାଟ କହିଥିଲେ। ଆଉ ଭିଡିଓଟି ଭାଇରାଲ୍‌ ହୋଇଥିଲା ।

ଏହା ପରେ ଯୁବକ ଜଣକ ସୋସିଆଲ  ମିଡିଆରେ ଅନୁଷ୍କାଙ୍କୁ ଗାଳି କରିଥିଲେ। ଏବେ ଏହି ଯୁବକଙ୍କ ମା’ ବିରାଟ ଓ ଅନୁଷ୍କାଙ୍କୁ ସୋସିଆଲ୍‌ ମିଡିଆରେ ଗାଳି କରିବାର ଦେଖିବାକୁ ମିଳିଛି । ଶସ୍ତା ଲୋକପ୍ରିୟତା ପାଇଁ ସେମାନେ ଏପରି କରିଛନ୍ତି ବୋଲି ଯୁବକଙ୍କ ମା’ କହିଛନ୍ତି । ଅହରାନଙ୍କ ମା’ ଗୀତାଞ୍ଜଳି ଏଲିଜାବେଥ୍‌ ଇନଷ୍ଟାଗ୍ରାମ ଜରିଆରେ କହିଛନ୍ତି,” ଏହି ଭିଡିଓକୁ ସେୟାର କରି ବିରାଟ ଓ ଅନୁଷ୍କା ଶସ୍ତା ରାଜନୀତି କକରୁଛନ୍ତି। ସେ ଆହୁରି କହିଛନ୍ତି ବିରାଟ ଓ ଅନୁଷ୍କା ଏହି ଭିଡିଓକୁ ସେୟାର କରି ମୋ ପୁଅର ଗୋପନୀୟତା ଅଧିକାରକୁ ଉଲ୍ଲଘଂନ(ରାଇଟ୍‌ ଟୁ ପ୍ରାଇଭେସି) କରିବା ସହିତ ତକୁ ଅପମାନିତ କରିଛନ୍ତି।ମତେ ମୋ ପୁଅର ସୁରକ୍ଷା ପାଇଁ ଚିନ୍ତା ଅଛି । ମୋ ପୁଅର ଫଟୋକୁ ନେଇ ଏପରି ବିକୃତ କରି  ପୋଷ୍ଟ କରିବାର ଅଧିକାର ଆପଣଙ୍କର ନାହିଁ  ବୋଲି ସେ କହିଛନ୍ତି।

ସେହିପରି  ଅରହାନ ସିଂହ ଫେସବୁକ୍‌ରେ ପୋଷ୍ଟ କରି ଲେଖିଥିଲେ ଯେ, “ସେହି ସମୟ ମୋ ପାଇଁ ବଡ ଭୟାନକ ଥିଲା । ମୁଁ ଗାଡି ଚଲାଉଥିବା ସମୟରେ  ଛୋଟ ପ୍ଲାଷ୍ଟିକ ବୋତଲକୁ ରାସ୍ତାରେ ଫିଙ୍ଗି ଦେଇଥିଲି । ସେହି ସମୟରେ ଗାଡିରେ ଯାଉଥିବା ଅନୁଷ୍କା ଶର୍ମା କାର୍‌ର ଡୋର୍‌ ଖୋଲି ମୋ ଉପରେ ଚିତ୍କାର କରିଥିଲେ । ନିଜର ଅସାବଧାନତା ପାଇଁ ମୁଁ ତାଙ୍କୁ କ୍ଷମା ମାଗିଥିଲି। କିନ୍ତୁ ସେ ଲଗାତାର ମତେ ଗାଳି ଦେଇ ଚାଲିଥିଲେ । ଯଦି ସେ ଭଲ ଭାବରେ କଥା ହୋଇଥାନ୍ତେ, ତେବେ ଛୋଟ ଷ୍ଟାର ହୋଇଯାଇ ନ ଥାନ୍ତେ । ଜଣେ ସୁ ମଣିଷ ହେବାକୁ ହେଲେ ସଂସ୍କାର ଓ ଆଚାର ବ୍ୟବହାର ଭଲ ହେବା ଉଚିତ୍‌। ସେଥିରେ କଥାବାର୍ତ୍ତା ଅନ୍ୟତମ ବୋଲି ଯୁବକ ଜଣକ ଚେତାଇ ଦେଇଥିଲେ।