ଡାକ୍ତରଙ୍କ ଆନ୍ଦୋଳନ: ମୃତ ନବଜାତଙ୍କୁ ଧରି କାନ୍ଦିଲେ ବାପା ମା’

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା କିଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି, ତା’ର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଆଜି ଡାକ୍ତରଙ୍କ ଆନ୍ଦୋଳନ ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ଏକ ଦମ୍ପତି ସେମାନଙ୍କର ନବଜାତ ଅଥଚ ମୃତ ଶିଶୁକୁ ଧରି କେମିତି ବିକଳ ହୋଇ କାନ୍ଦୁଥିଲେ, ତା’ର ଦୃଶ୍ୟ ଦେଖିବାକୁ ମିଳିଛି। ଆନନ୍ଦ ବଜାର ପତ୍ରିକାର ଜଣେ ଫଟୋଗ୍ରାଫର୍ ଏକ ଫଟୋ ଶେୟାର କରିଛନ୍ତି।

ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ପାଖରେ ଛିଡ଼ା ହୋଇଥିବା ପତ୍ନୀ ତାଙ୍କ ନବଜାତ ଶିଶୁର ମୃତଦେହକୁ ଧରି କାନ୍ଦୁଛନ୍ତି, ତା’ର ହୃଦୟବିଦାରକ ଦୃଶ୍ୟ ରହିଛି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ପଶ୍ଚିମବଙ୍ଗରେ ରୋଗୀ ସେବା ଏକ ପ୍ରକାରର ଠପ ହୋଇ ଯାଇଛି। ଏହି କାରଣରୁ ଗୋଟିଏ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଏଥିରେ କୁହାଯାଇଛି। ନିଜ ଶିଶୁକୁ ହରାଇବା ପରେ ବାପା ମା’ ତାଙ୍କୁ କୋଳରେ ଧରି କାନ୍ଦୁଛନ୍ତି। ଫଟୋଗ୍ରାଫର ଦମୟନ୍ତୀ ଦତ୍ତ ପୋଷ୍ଟ କରିଥିବା ଏହି ଫଟୋର ବିବରଣୀ ଦେଇ ଲେଖିଛନ୍ତି ଯେ ଅସୁସ୍ଥ ନବଜାତ ଶିଶୁକୁ ନେଇ ତାଙ୍କ ବାପା ମା’ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ହେଲେ ଡାକ୍ତରମାନେ ଆନ୍ଦୋଳନ କରୁଥିବାରୁ ତା’ର ଚିକିତ୍ସା କରିଁନଥିଲେ। ଏହି କାରଣ ପାଇଁ ଶିଶୁଟିର ଜୀବନ ଚାଲି ଯାଇଥିଲା।

ଉଲ୍ଲେଖଯୋଗ୍ୟ, କୋଲକାତାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସମ୍ପର୍କୀୟମାନେ ଜଣେ ଜୁନିଅର ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାକୁ ନେଇ ୪ ଦିନ ତେଳେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏବେ ଏହା ସମଗ୍ର ଦେଶକୁ ବ୍ୟାପିବାରେ ଲାଗିଛି।